୫୦ହଜାର କୁକୁଡା ଜିଅନ୍ତା ଜଳିଗଲେ, ଫାର୍ମ ଅଗ୍ନିକାଣ୍ଡର ଶତ୍ରୁତା କାରଣ !

Published By : Prameya-News7 Bureau | August 30, 2020 IST

ପାରାଦୀପ ୩୦/୦୮: ଅଭୟଚାନ୍ଦପୁର ଥାନା ଅଧୀନ ଏରସମା ବ୍ଲକ୍‌ ନୂଆଗାଁ ଗ୍ରାମର ରାମଚଣ୍ଡୀପଡ଼ାରେ ଏକ କୁକୁଡ଼ା ଫାର୍ମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ପ୍ରାୟ ୫୦ ହଜାରରୁ ଅଧିକ କୁକୁଡ଼ା ଜୀଅନ୍ତା ଜଳି ପାଉଁଶ ହୋଇଯାଇଛନ୍ତି । ହେଲେ ଏହି ଫାର୍ମକୁ କେହି ନିଆଁ ଲଗାଇଦେଇଥିବା ଅଭିଯୋଗ ଉଠିଥିବା ବେଳେ ଟଙ୍କା କାରବାରକୁ ନେଇ ରାଗରଖି ଏଭଳି ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୋଗ ଉଠିଛି । ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।

ସୂଚନା ମୁତାବକ ଗ୍ରାମର ପବିତ୍ର ସ୍ୱାଇଁଙ୍କର ନିଜ ଘର ବାଡ଼ିରେ ଏକ ବଡ଼ କୁକୁଡ଼ା ଫାର୍ମ ଥିଲା । ସେଥିରେ ସେ ପ୍ରାୟ ୫୦ ହଜାର କୁକୁଡ଼ା ଚିଆଁ ଛାଡ଼ିଥିଲେ । ଆଉ ଦିନ କେଇଟା ପରେ ଚିଆଁ ଗୁଡ଼ିକ ବିକ୍ରି ଉପଯୋଗୀ ହୋଇଥାନ୍ତେ । ହେଲେ ଗତକାଲି ରାତିରେ କେହି ପବିତ୍ରଙ୍କ ଫାର୍ମରେ ନିଆଁ ଲଗାଇଦେବାରୁ ସବୁ ଚିଆଁ ପୋଡ଼ିଯାଇଥିବା ସକାଳେ ଜଣାପଡ଼ିଥିଲା । ହେଲେ ବର୍ଷାରେ ଫାର୍ମର ଚାଳ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଓଦା ଥିବା ବେଳେ ସେଥିରେ ନିଆଁ କେମିତି ଲାଗିଲା ସେନେଇ ସନ୍ଦେହ ଉପୁଜିଛି । ଗାଁରେ ଥିବା ଏକ ଗୋଷ୍ଠୀରୁ ଟଙ୍କା କରଜ ସୂତ୍ରରେ ଆଣି ପବିତ୍ର ଫାର୍ମରେ ଲଗାଇଥିବା ବେଳେ ଲକ୍‌ଡାଉନ୍‌ରେ କୁକୁଡ଼ା ବେପାର ମାନ୍ଦା ଧରିବାରୁ ସେ ଟଙ୍କା ଶୁଝି ପାରିନଥିବା ଜଣାପଡ଼ିଛି ।

ଗତ କିଛିଦିନ ତଳେ କରଜ ଟଙ୍କା ଶୁଝିବାକୁ ନେଇ କିଛି ଲୋକଙ୍କ ସହ ପବିତ୍ରଙ୍କର ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଥିଲା । ତେଣୁ ଏହାକୁ ନେଇ ଗତକାଲିର ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଭିଯୋଗ ଉଠୁଥିବା ବେଳେ କେହି କେହି ଏହାକୁ ଜାଣିଶୁଣି କରାଯାଇଥିବା ମଧ୍ୟ କହୁଥିବା ଶୁଣିବାକୁ ମିଳିଛି । ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ତଦନ୍ତ ପରେ ଏହା ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡ ନା ମନୁଷ୍ୟକୃତ ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.