ଗଞ୍ଜାମରେ ୫ ହଜାର ପାର କରୋନା ଆକ୍ରାନ୍ତ, ଗଡିଲାଣି ୫୦ ମୁଣ୍ଡ, ରାଜଧାନୀରେ ୧୦୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | July 17, 2020 IST

ଭୁବନେଶ୍ଵର ୧୭।୦୭: ଗଞ୍ଜାମରେ ୫ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଅର୍ଦ୍ଧଶତକ ଛୁଇଁଛି । ଆଜି ରାଜ୍ୟରୁ ୭୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ୨୩୧ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ କରୋନା ଯୋଦ୍ଧା । ମାସକ ମଧ୍ୟରେ ଗଂଜାମ ଅବସ୍ଥା ସଂଗୀନ୍ କଲାଣି ମହାମାରୀ । ଠିକ୍ ମାସେ ତଳେ ଜୁନ୍ ୧୭ ତାରିଖରେ ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା ଥିଲା ୬୯୯ । ମୃତ୍ୟୁ ସଂଖ୍ୟା ଥିଲା ମାତ୍ର ୬।  ଜୁଲାଇ ୧୭ ତାରିଖ ବେଳକୁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫ ହଜାର ୯୮ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲାଣି। ମାନେ ମାସକରେ ୪ ହଜାର ୩୯୯ ଆକ୍ରାନ୍ତ ଏବଂ ୪୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।  ବିଶେଷ କରି ଗତ ୧୦ ଦିନରେ ୨ ହଜାର ୪୭୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୬ ଜଣ ମୃତ୍ୟୁ ହେଲାଣି ।

{"id":301871,"sizeSlug":"large"}

ଗଂଜାମ ଜିଲ୍ଲାରେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସଟ୍‌ଡାଉନ୍, ଲକ୍‌ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ ଟିମ୍ । ଆସନ୍ତା କାଲି ଠାରୁ ବ୍ରହ୍ମପୁର ଉପଖଣ୍ଡ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ କରାଯିବ । ଜିଲ୍ଳାକୁ ପଠାଯାଇଥିବା ୧୩୦ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି ।

{"id":301872,"sizeSlug":"large"}

ଗଂଜାମ ପରେ ରାଜଧାନୀରେ ଅସମ୍ଭାଳ ହେଲାଣି ସ୍ଥିତି। ରାଜଧାନୀରେ ହଜାରେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥୁରୁ ୧୨୪ ଜଣ ରାଜଧାନୀର । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଲୋକାଲ କେସ୍ । ଏହାକୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୩ ହୋଇଛି । ୨୫ ରୁ ଅଧିକ ବସ୍ତି ଏବେ ହଟସ୍ପଟ ପାଲଟିଛି । ୧୬ ଦିନରେ ରାଜଧାନୀରେ ୭୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି । ୬ ଦୋକାନୀ ପଜିଟିଭ୍ ଚିହ୍ନଟ ପରେ ୟୁନିଟ ୪ ମାର୍କେଟ ସିଲ୍ ହୋଇଛି । ସେହିପରି ୨୭ ନମ୍ବର ଓ୍ବାର୍ଡ ତ୍ରିନାଥ ବସ୍ତି ଏବଂ  ୩୯ ନମ୍ବର  ଓ୍ବାର୍ଡ ନୟାପଲ୍ଲୀ ସୀତାପୁର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେପଟେ ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ । କେବଳ ହାଇ ରିସ୍କ ଗ୍ରୁପରେ ଆସୁଥିବା ବ୍ୟକ୍ତିଙ୍କ ସେରୋ ସର୍ଭେ କରାଯାଉଛି ।

{"id":301873,"sizeSlug":"large"}

ଓଡ଼ିଶାରୁ ଆଜି ୭୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬ ହଜାର ୧୧୦ ହୋଇଛି । ଅମାନିଆଙ୍କ ଯୋଗୁଁ ସଂକ୍ରମଣ ବ୍ୟାପୁଥିବାରୁ ଏବେ ପ୍ରଶାସନ ଅଧିକ ଶକ୍ତ ପଦକ୍ଷେପ ନେବାକୁ ଘୋଷଣା କରିଛି।

{"id":301874,"sizeSlug":"large"}

ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଗଜପତି ଜିଲ୍ଲାରୁ ଜଣେ ଏବଂ ଅନୁଗୁଳ ଜିଲ୍ଲାର ଜଣେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.