ମହାନଦୀ ଗର୍ଭରେ ୫୦୦ ବର୍ଷର ମନ୍ଦିର: ପାଣି ଉପରକୁ ଦେଖାଯାଉଛି ଚୁଡା, ଗଙ୍ଗବଂଶ ସମୟର ମନ୍ଦିରର କାରୁକାର୍ଯ୍ୟ

Published By : Prameya-News7 Bureau | June 12, 2020 IST

ନୟାଗଡ, ୧୨|୦୬:  ମହାନଦୀ ଗର୍ଭରେ ୫୦୦ବର୍ଷ ତଳର ମନ୍ଦିର । ପାଣି ଉପରୁ ଦେଖାଯାଉଛି ମନ୍ଦିର ଚୂଡ଼ା । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ନିକଟ ଦେଇ ବହିଯାଇଥିବା ମହାନଦୀ ପାଣିରେ ପ୍ରାୟ ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିରକୁ ନେଇ ଯେତେ​ବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ସେତେବେଳେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ 7 । ଲଗାତର ୨ଦିନ ଧରି ଆମ ଟିମ୍‌ ପାଣି ଭିତରେ ବୁଡ଼ି ରହିଥିବା ଏହି ମନ୍ଦିର ସମ୍ପର୍କରେ ଟିକନିକ୍‌ ତଥ୍ୟ  ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଗଭୀର ଜଳ ଭିତରର ଦୃଶ୍ୟ ଉତ୍ତୋଳନ କରିଥିଲା ।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ନିକଟ ଦେଇ ବହିଯାଇଥିବା ମହାନଦୀ ପାଣିରେ ପ୍ରାୟ ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିରକୁ ନେଇ ଯେତେ​ବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ସେତେବେଳେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ 7 । ନ୍ୟୁଜ୍‌ 7ର ଅଭିଜ୍ଞ ଇତିହାସ ଗବେଷକ ତଥା ବାସ୍ତୁବିତ୍‌ ତ୍ରିନନ୍ଦନ ମିଶ୍ର ଘଟଣାସ୍ଥଳକୁ ଯାଇ ଯେତେବେଳେ ମନ୍ଦିର ସମ୍ପର୍କରେ ଅଧିକ କିଛି ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଜଣାପଡ଼ିଥିଲା କେବଳ ମନ୍ଦିର ଚୂଡ଼ା ନୁହେଁ ପାଣି ଭିତରେ ୨୦ଫୁଟ୍‌ ତଳକୁ ମନ୍ଦିରର ସମ୍ପୂର୍ଣ୍ଣ ଅଂଶ ରହିଥିଲା । ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରେ ଖାଲି ଆଖିରେ ପ୍ରଥମ ଥର ପାଇଁ  ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଦେଖିଥିଲେ  ବାସ୍ତୁବିତ୍‌ ତ୍ରିନନ୍ଦନ ମିଶ୍ର । ମନ୍ଦିରର କାରୁକାର୍ଯ୍ୟ ତାଙ୍କୁ ଖୁବ୍‌  ଆଶ୍ଚର୍ଯ୍ୟ କରିଥିଲା । ଏହାକୁ ନ୍ୟୁଜ୍‌ 7 ଟିଭି ପରଦା ମାଧ୍ୟମରେ କିଭଳି ଆମ ଦର୍ଶକଙ୍କ ପାଖରେ ପହଞ୍ଚାଇ ହେବ ତାକୁ ନେଇ ନୂଆ ଷ୍ଟ୍ରାଟେଜି ତିଆରି କରିଥିଲା ନ୍ୟୁଜ୍‌ 7 ଟିମ୍‌ । ଡେ-ଟୁରେ ପୁଣି ଥରେ ଘଟଣାସ୍ଥଳକୁ ବାହାରିଥିଲା ଟିମ୍‌ ।ଟିମ୍‌ରେ ସାମିଲ ଥିଲେ  ଅନ୍ତର୍ଜାତିକ ସ୍କୁବା ଡାଇଭର ସବିର ବକ୍ସ । ଦିନ ତମାମ ପଦ୍ମାବତୀ ନିକଟରେ ବହିଯାଇଥିବା ମହାନଦୀର ଆଖପାଖ ଅଂଚଳ ବୁଲି ଦେଖିବା ପରେ ଗଭୀର ଜଳ ଭିତରକୁ ବୁଡ଼ିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ତୁହାକୁ ତୁହା ବର୍ଷା ସତ୍ବେ ଜାରି ରହିଥିଲା ନ୍ୟୁଜ୍‌ 7ର ଅପରେସନ ।  ମହାନଦୀର ଗଭୀର ଜଳ ଭିତରେ ପ୍ରାୟ ୨୦ଫୁଟ୍‌ ପର୍ଯ୍ୟନ୍ତ ମନ୍ଦିରର ଅଂଶକୁ ନିଜ କ୍ୟାମେରାରେ କଏଦ୍‌ କରିଥିଲେ ସ୍କୁବା ଡାଇଭର ସବିର ବକ୍ସ । ଦୀର୍ଘବର୍ଷ ଧରି ମନ୍ଦିରଟି ପାଣି ଭିତରେ ବୁଡ଼ି ରହିଥିବାରୁ ଏଥିରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟ ଉପରେ ଶିଉଳି ମାଡ଼ିଯାଇଥିବା ଦେଖିବାକୁ ମିଳିଥିଲା  । ପଥରରେ ଖୋଦିତ ହୋଇଥିବା କାରୁକାର୍ଯ୍ୟ ଫାଙ୍କରେ ଚିଙ୍ଗୁଡ଼ି ଘର କରିଥିବା ନଜରକୁ ଆସିଥିଲା ।

{"id":285237,"width":746,"height":400,"sizeSlug":"large"}

ତେବେ ନ୍ୟୁଜ୍‌ 7ର ଏହି ପ୍ରୟାସ ସମସ୍ତ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଛି । ମହାନଦୀ ପାଣିରେ କେବଳ ମନ୍ଦିରର ଦଧିନଉତି ପଡ଼ିରହିଛି ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ମିଛ । ପାଣି ଭିତରେ ସମ୍ପୂର୍ଣ୍ଣ ମନ୍ଦିରଟି ବୁଡ଼ି ରହିଛି ତାହା ହିଁ ସତ । ଆଉ ଏହି ସତକୁ ପ୍ରମାଣିତ କରୁଛି ନ୍ୟୁଜ୍‌ 7 କ୍ୟାମେରାରେ କଏଦ ହୋଇଥିବା ଏହି ଭିଜୁଆଲ୍‌ । ପାଣି ଭିତରେ ମନ୍ଦିର ଚୁଡ଼ା ଠାରୁ ୨୦ଫୁଟ୍‌ ତଳ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଥିବା ବେଳେ ବାକି ଅଂଶ ବାଲି ତଳେ ପୋତି ହୋଇ ରହିଛି । ଗବେଷକ ତ୍ରିନନ୍ଦନ ମିଶ୍ରଙ୍କ କହିବା ଅନୁସାରେ ମହାନଦୀର ମଧୁର ପାଣି ଯୋଗୁଁ ମନ୍ଦିରର କାରୁକାର୍ଯ୍ୟଗୁଡ଼ିକ ଅକ୍ଷତ ଅବସ୍ଥାରେ ରହିଛି । ଆଉ ମନ୍ଦିରର କାରୁକାର୍ଯ୍ୟକୁ ଦେଖିଲେ ଏହା ଗଙ୍ଗବଂଶ ସମୟର ବୋଲି ଜଣାପଡ଼ୁଛି । ଏହି ମନ୍ଦିରର କାରୁକାର୍ଯ୍ୟ ବାଙ୍କୀରେ ଥିବା ତ୍ରିଦେବ ମନ୍ଦିରର ଅବିକଳ ନକଲ । ତେବେ ଗବେଷଣାରୁ ଜଣାପଡ଼ୁଛି ମହାନଦୀ ଗର୍ଭରେ ଥିବା ଗୋପୀନାଥ ମନ୍ଦିର ତ୍ରିଦେବ ମନ୍ଦିର ତିଆରି ହେବାର ୧୦୦ବର୍ଷ ପରେ ନିର୍ମାଣ କରାଯାଇଥିଲା । ମହାନଦୀ ଗର୍ଭରୁ ଗୋପୀନାଥ ମନ୍ଦିରର ରହସ୍ୟ ଉନ୍ମୋଚନ କେବଳ ସମ୍ଭବ ହୋଇପାରିଲା  ନ୍ୟୁଜ୍‌ 7ର ଉପଯୁକ୍ତ ଷ୍ଟ୍ରାଟେଜି ଏବଂ ଅଭିଜ୍ଞ ଟିମ୍‌ ଯୋଗୁଁ । ନ୍ୟୁଜ୍‌ ସେଭେନ୍‌ର ଏହି ପ୍ରୟାସ ପରେ ଏବେ ଯେତେବେଳେ ମହାନଦୀ ଗର୍ଭରେ ମନ୍ଦିରର ସମ୍ପୂର୍ଣ୍ଣ ଅଂଶ ବୁଡ଼ି ରହିଥିବା ପ୍ରମାଣିତ ହୋଇଛି ସେତେବେଲେ ଏହା ବାବଦରେ ଅଧିକ ଗବେଷଣା ପାଇଁ  ପ୍ରତ୍ନତତ୍ବ ବିଭାଗ ଉଦ୍ୟମ କରିବ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.