କରୋନା ଚିହ୍ନଟ କରିବ ଖାଇବା ମସଲା : ୩୮ଦେଶର ୫୦୦ ବୈଜ୍ଞାନିକମାନେ ଦେଲେ ତଥ୍ୟ
13/04/2020 at 11:30 AM

ଚଣ୍ଡିଗଡ଼ ୧୩/୪: ଖୁବ୍ ଶୀଘ୍ର ଘରେ ବସିଥିବା ବ୍ୟକ୍ତି କରୋନା ସଂକ୍ରମଣର ଲକ୍ଷଣକୁ ଠିକଭାବେ ଜାଣି ପାରିବ। ଭାରତ ସମେତ ପାଖାପାଖି ୩୮ଦେଶର ୫୦୦ବୈଜ୍ଞାନିକ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରିଛନ୍ତି। ଏଥିରୁ ସହଜରେ ଜଣା ପଡ଼ିପାରିବ ଯେ ଜଣଙ୍କୁ କୋଭିଡ-୧୯ କିମ୍ବା ସାଧାରଣ ଫ୍ଲୁ ହୋଇଛି। ଦୁଇଟି ରୋଗର ଲକ୍ଷଣ ପ୍ରାୟତଃ ସମାନ। ଏଥିପାଇଁ ଏହା ଜାଣିବା କଷ୍ଟକର ହୋଇପଡ଼ୁଛି।
ବୈଜ୍ଞାନିକମାନେ ଯେଉଁ ପ୍ରଶ୍ନାବଳୀ ପ୍ରସ୍ତୁତ କରିଛନ୍ତି ତାହା ଏକ ପ୍ରକାରର ସର୍ଭେ। ଏଥିରେ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ଥିବା ମସଲା ଏବଂ ବୁଟିକୁ ଚାଖି ଆପଣଙ୍କୁ ଜବାବ ଦେବାକୁ ପଡ଼ିବ। ଏହା ଆଧାରରେ ପରିଣାମ ଜଣା ପଡ଼ିବ।
ଭାରତରୁ ସେଣ୍ଟ୍ରାଲ୍ ସାଇଣ୍ଟିଫିକ୍ ଇନଷ୍ଟ୍ରୁମେଣ୍ଟ ଓର୍ଗନାଇଜେସନର ଡ. ରିତେଶ କୁମାର, ଡ. ଅମୋଲ୍ ପି. ଭୋଣ୍ଡେକର ଏବଂ ଡ. ରିଶମଜିତ ସିଂହ ମଧ୍ୟ ଏହି ସମୂହରେ କାମ କରିଥିଲେ। ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ,ନ୍ୟାସନାଲ୍ ସେଣ୍ଟର ଫର ବାୟୋଲୋଜିକାଲ୍ ସାଇନ୍ସେସ ଏବଂ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକ ମଧ୍ୟ ଏହାର ଅଂଶବିଶେଷ।
ସର୍ବପ୍ରଥମେ ଦକ୍ଷିଣ କୋରିଆ ଏହା ଉପରେ ଷ୍ଟଡି କରିଥିଲେ। ଏଥିରେ ଜଣା ପଡ଼ିଥିଲା ଯେ ଏପରି ସଂକ୍ରମଣରେ ୩୦% ମାମଲାରେ ସ୍ବାଦ ଏବଂ ଗନ୍ଧ ବାରିବାର କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ। ଯେଉଁ ଦେଶରେ ଏଥିକାଲ୍ କ୍ଲିୟରାନ୍ସ ମିଳିସାରିଛି,ସେଠାରେ ହସ୍ପିଟାଲରେ ମଧ୍ୟ ଏହା ଲାଗୁ କରାଯାଇସାରିଛି। ଭାରତୀୟ ବୈଜ୍ଞାନିକମାନେ ମଧ୍ୟ ଶୁଙ୍ଘିବାର କ୍ଷମତା ଚେକ୍ କରିବା ପାର୍ଇ ପ୍ରଶ୍ନାବଳୀ ଏବଂ ଆପ୍ ପ୍ରସ୍ତୁତ କରିଛନ୍ତି।
ଏହା ଭାରତରେ ଲାଗୁ କରିବା ପାଇଁ ଏଥିକାଲ୍ ଆପ୍ରୃଭାଲର ଆବଶ୍ୟକତା ରହିଛି। ପାଖାପାଖି ଦେଢ଼ ଦଶକରୁ ସ୍ବାଦ ଏବଂ ସୁଗନ୍ଧ ସହ ଜଡ଼ିତ ସେନ୍ସର ଉପରେ କାମ କରୁଥିବା ଡ. ଅମୋଲ୍ କହିଥିଲେ ଯେ ଆପ୍ରୃଭାଲ୍ ପରେ ଏହି ପ୍ରଶ୍ନାବଳୀ କିମ୍ବା ଆପକୁ ଭାରତ ସରକାରଙ୍କ ଆରୋଗ୍ୟ ସେତୁ ସହ ଯୋଡ଼ାଯିବ।