କରୋନା ମୃତ୍ୟୁ ପାଇଁ କ୍ଷତିପୂରଣ ଧାର୍ଯ୍ୟ କଲେ ସରକାର: ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨/୦୯ : କରୋନା ମୃତ୍ୟୁ ପାଇଁ କ୍ଷତିପୂରଣ ଧାର୍ଯ୍ୟ କରାଯାଇଛି। ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଥୋରିଟି (NDMA) ସୁପ୍ରିମକୋର୍ଟଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ମିଳିବ। କୋର୍ଟ ସର୍ବନିମ୍ନ କ୍ଷତିପୂରଣକୁ ନେଇ ଗାଇଡଲାଇନ ପାଇଁ କହିଥିଲେ।

ଜୁନ ୩୦ ତାରିଖରେ ଦେଇଥିବା ଆଦେଶରେ ସୁପ୍ରିମକୋର୍ଟ ଦେଶରେ କରୋନା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କହିଥିଲେ। କୋର୍ଟ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଥୋରିଟିକୁ କହିଥିଲେ ଯେ ୬ ସପ୍ତାହରେ କ୍ଷତିପୂରଣ ରାଶି ଧାର୍ଯ୍ୟ କରି ପ୍ରତି ରାଜ୍ୟକୁ ସୂଚିତ କରନ୍ତୁ। କୋର୍ଟ କହିଥିଲେ ଯେ ଏହିଭଳି ବିପର୍ଯ୍ୟୟରେ ଲୋକଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଆଇନଗତ କର୍ତ୍ତବ୍ୟ। କିନ୍ତୁ କ୍ଷତିପୂରଣ ରାଶି କେତେ ହେବ ସେ ନିଷ୍ପତ୍ତି କୋର୍ଟ ସରକାରଙ୍କ ଉପରେ ଛାଡି ଦେଇଥିଲେ।

ମାମଲାର ଆବେଦନକାରୀ ଦଲିଲ ଦେଇଥିଲେ ଯେ ହସ୍ପିଟାଲରୁ ମୃତକଙ୍କୁ ସିଧା ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି। ସେମାନଙ୍କର ନା ପୋଷ୍ଟମର୍ଟମ ହେଉଛି ନା ଡେଥ ସାର୍ଟିଫିକେଟ ଲେଖାଯାଉଛି ଯେ କରୋନା ଯୋଗୁଁ ମୃତ୍ୟୁର ହୋଇଛି। ଏହିଭଳି ସ୍ଥିତିରେ ଯଦି କ୍ଷତିପୂରଣ ଯୋଜନା ଆରମ୍ଭ ହୁଏ ତାହେଲେ ଲୋକେ ତାର ଲାଭ ପାଇପାରିବେନି। ଏଥିରେ କୋର୍ଟ କହିଥିଲେ ଯେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ସ୍ପଷ୍ଟ ଲେଖାଯିବା ଉଚିତ। ପ୍ରମାଣପତ୍ର ପାଇବା ପ୍ରକ୍ରିୟା ସରଳ ହେବା ଉଚିତ। ଯଦି ପୂର୍ବରୁ ଜାରି ହୋଇଥିବା ପ୍ରମାଣପତ୍ରରେ ପରିଜନଙ୍କର କୌଣସି ଅଭିଯୋଗ ଥାଏ ତାହେଲେ ତାର ସମାଧାନ କରାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.