ଲକ୍‌ଡାଉନ୍‌ରେ ବି ଜାରି ରହିଛି ଶତ୍ରୁ ନିପାତ, ୧୮ ଆତଙ୍କବାଦୀଙ୍କୁ ଚିର ନିଦ୍ରାରେ ଶୁଆଇଲେ ଭାରତୀୟ ଯବାନ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ଜାମ୍ମୁ-କାଶ୍ମୀରରେ କରୋନା ଲକ୍‌ଡାଉନ୍‌ରେ ମଧ୍ୟ ଆତଙ୍କବାଦୀଙ୍କ ମୂଳପୋଛ ଜାରି ରହିଛି। ଘାଟିରେ ଚଳିତ ବର୍ଷ ଅଦ୍ୟାବଧି ଜୈଶ ଇ ମହମ୍ମଦ ଓ ଲସ୍କର ଏ ତୋଇବାର ପ୍ରାୟ ୫୦ ଶୀର୍ଷ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାବଳ ନିପାତ କରି ସାରିଛନ୍ତି। ଏଥିରୁ ୧୮ ଆତଙ୍କବାଦୀ ଲକ୍‌ଡାଉନ୍‌ ସମୟରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଜଣେ ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଅଧିକାରୀ ଏହା ମଧ୍ୟ କହିଛନ୍ତି ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ୧୭ ସୁରକ୍ଷାବଳର ଯବାନ ମଧ୍ୟ ସହିଦ ହୋଇଛନ୍ତି।

ଅଧିକାରୀ କହିଛନ୍ତି ଆତଙ୍କବାଦୀ ଗତ ଚାରି ମାସରେ ୯ ଜଣ ସାଧାରଣ ଜନତାଙ୍କ ମଧ୍ୟ ହତ୍ୟା କରିଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀ ଯେଉଁ ୫୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣ ଆତଙ୍କବାଦୀ ଦେଶରେ ଜାରି ଲକ୍‌ଡାଉନ୍‌ ସମୟରେ ସେନା ଗୁଳିରେ ନିହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଲସ୍କରର ଜିଲ୍ଲା କମାଣ୍ଡର ମୁଜଫର ଅହମ୍ମଦ ଭଟ୍ଟ ସମେତ ଚାରି ଆତଙ୍କବାଦୀ ମାର୍ଚ୍ଚ ୧୫ରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡାୟଲଗାମ ଅଞ୍ଚଳରେ ସୁରକ୍ଷାବଳ ସହିତ ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି। ଏହି ସବୁ ଆତଙ୍କୀ ଲସ୍କର ଓ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ଥିଲେ।

{"id":259276,"sizeSlug":"large"}

ସେ କହିଛନ୍ତି, ଜାନୁଆରୀ ୨୫ରେ ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜୈଶର ସ୍ଵଘୋଷିତ କାଶ୍ମୀର ପ୍ରମୁଖ କାରି ୟାସିର ମଧ୍ୟ ସାମିଲ ଥିଲା। ଏହି ଗୁଳିବିନିମୟ  ବେଳେ ତିନି ଯବାନ ଆହତ ହୋଇଥିଲେ।

ଏହା ବ୍ୟତୀତ ହିଜବୁଲ ମୁଜାହିଦ୍ଦିନର ଜଣେ ଟପ୍ କମାଣ୍ଡର ହାରୁନ ଓ୍ଵାନୀ ଜାନୁଆରୀ ୧୫ରେ ଜାମ୍ମୁ-କାଶ୍ମୀରର ଡୋଡାର ଗୁଣ୍ଡାନା ଅଞ୍ଚଳରେ ସୁରକ୍ଷାବଳ ସହିତ ଗୁଳି ବିନିମୟରେ ପ୍ରାଣ ହରାଇଥିଲା। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ପୂର୍ବରୁ କହିଥିଲେ ଯେ, ଜାମ୍ମୁ-କାଶ୍ମୀରରେ ୨୦୧୯ରେ ୧୬୦ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୧୦୨ ଜଣ ଗିରଫ ହୋଇଥିଲେ। ଅଧିକାରୀ କହିଛନ୍ତି ଜାନୁଆରୀ ୨୩ରେ ୟାସିରର ଜଣେ ସାଥୀ ଆତଙ୍କବାଦୀ କମାଣ୍ଡର ଅବୁ ସୈଫୁଲ୍ଲାହ ଓରଫ ଅବୁ କାସିମ ପୁଲଓ୍ଵାମା ଜିଲ୍ଲାର ଖୁରେ ଅଞ୍ଚଳରେ ସେନା ସହ ଗୁଳି ବିନିମୟରେ ପ୍ରାଣ ହରାଇଥିଲେ। ସେହି ପରି ଏପ୍ରିଲ ୯ରେ ଉତ୍ତର କାଶ୍ମୀରର ବାରାମୂଲା  ଜିଲ୍ଲାର ସୋପୋରରେ ସୁରକ୍ଷାବଳ ସହ ଗୁଳିବିନିମୟରେ ଜୈଶ ଇ ମହମ୍ମଦର କମାଣ୍ଡର ସଜାଦ ନଓ୍ଵାବ ଡାର ନିହତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.