ସ୍କୁଲ ଖୋଲିବା ପରେ ବଢୁଛି କରୋନା ଭୟ : ଏବେସୁଦ୍ଧା ୫୦ ଛାତ୍ରଛାତ୍ରୀ ଓ ଶିକ୍ଷକ ପଜିଟିଭ୍ ! ଆଶଙ୍କାରେ ଅଭିଭାବକ
17/01/2021 at 9:13 AM

ଭୁବନେଶ୍ୱର,୧୭/୦୧: ସ୍କୁଲ ଖୋଲିବାରେ ୭ ଦିନ ବିତିଲାଣି। ଗତ ୧୧ ତାରିଖରୁ ଖୋଲିଛି ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ। ପାଠପଢ଼ା ବି ଜୋରସୋରରେ ଚାଲିଛି । କିନ୍ତୁ ସମସ୍ୟା ସୃଷ୍ଟି କରିଛି କରୋନା ଭାଇରସ । ଏପରିକି ଚିନ୍ତା ବଢ଼ାଇଛି ମଧ୍ୟ। ଯେଉଁ ଡର ପାଇଁ ଦୀର୍ଘ ୧୦ ମାସ ବନ୍ଦ ରହିଲା ସ୍କୁଲ, ଶେଷକୁ ତାହା ହିଁ ହେଉଥିବା ଦେଖିବାକୁ ମିଳିଛି। ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ସଂଖ୍ୟା ଏବେ ୫୦ ଛୁଇଁଲାଣି। ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମନରେ ଡର ଘାରିଲାଣି। ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ଅଭିଭାବକମାନେ ଏବେ ଆଉ ରାଜି ହେଉନାହାଣନ୍ତି । ଡରୁଛନ୍ତି । ଏପଟେ ସ୍କୁଲରେ କରୋନା ସଂକ୍ରମଣ ବଢୁଥିବା ଦେଖି ବିଭାଗର ବି ଚିନ୍ତା ବଢ଼ିଛି। ନିୟମିତ ସ୍କୁଲ ସ୍ଥିତି ପରଖିବା ସହ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।
ସୂଚନାଅନୁସାରେ, ଝାରସୁଗୁଡ଼ା, ଗଜପତି, ମାଲକାନଗିରି ଜିଲ୍ଲାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହାଇଛନ୍ତି। ଝାରସୁଗୁଡ଼ାରେ ୩୨ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଥିବା ଅଭିଯୋଗ ହେଉଛି । କିନ୍ତୁ ସରକାରୀସ୍ତରରେ ୧୯ ଜଣ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରାଯାଇଛି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଗତ ୭ ଦିନ ଭିତରେ ୨୮ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀ କରାନାରେ ସଂକ୍ରମିତ ହାଇଛନ୍ତି। ମାଲକାନଗିରିରେ ୨ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ମଧ୍ୟ ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ କରୋନା ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଏସବୁକୁ ମିଶାଇ ସଂଖ୍ୟା ୫୦ ହେଲାଣି । ଯାହାକୁ ନେଇ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ହୋଇଛି ନା ନାହିଁ ନେଇ ଆଶଙ୍କା ବଢିବାରେ ଲାଗିଛି । ତେବେ ସରକାରଙ୍କ ଗାଇଡଲାଇନ୍ ଓ ସତର୍କତା କ୍ଷେତ୍ରରେ ସଂକ୍ରମଣ କିପରି ବ୍ୟାପିଲା, ତା’କୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣରେ ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସେ ଅଚାନକ ଗସ୍ତ କରି ସ୍ଥିତି ତଦାରଖ କରୁଛନ୍ତି । ବିଭାଗ ପକ୍ଷରୁ ଡିଇଓମାନଙ୍କୁ ସ୍କୁଲରେ ଠିକ୍ ଭାବେ ଏସ୍ଓପି ପାଳନ ହେଉଛି କି ନାହିଁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଯେଭଳି ବ୍ୟାହତ ନହେବ, ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଉଛି । ଶିକ୍ଷକ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ସାମାଜିକ ଦୂରତ୍ୱ ଓ ଅନ୍ୟ କରୋନା ଗାଇଡଲାଇନ୍ ପାଳନକୁ କଡ଼ାକଡ଼ି କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସବୁଠାରୁ ଚିନ୍ତାଜନକ ବିଷଯ ଏହା ଯେ, ଗଜପତିରେ ଚିହ୍ନଟ ହୋଇଥିବା ଶିକ୍ଷକ ଓ ପିଲାଙ୍କ କରୋନାର କୌଣସି ଲକ୍ଷଣ ନାହିଁ। ଥର୍ମାଲ୍ ସ୍କ୍ରିନିଂରେ ସେମାନଙ୍କ ତାପାମାତ୍ରା ସ୍ୱାଭାବିକ ଥାଇ ମଧ୍ୟ ସେମାନେ ପଜିଟିଭ୍ ହୋଇଛନ୍ତି। ଅନ୍ୟ ସ୍ଥାନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ତାପମାତ୍ର ସ୍ୱାଭାବିକ ରହି ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।