କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବ ଦି ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ
30/03/2020 at 6:33 PM

ନୂଆଦିଲ୍ଲୀ ୩୦।୩: କରୋନା ଭାଇରସ୍ ‘କୋଭିଡ୍-୧୯’ର ମୁକାବିଲା ପାଇଁ ଦିନ ରାତି କାମ କରୁଥିବା ଡାକ୍ତରଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦି ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଅଧୀନରେ ୫୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବ ।
ଏନେଇ କମ୍ପାନୀ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବଙ୍କ ନିକଟକୁ ଏକ ଚିଠି ପଠାଇଛି ଯେଉଁଥିରେ କୁହାଯାଇଛି ଯେ, ଏହା ୩୦ ମାର୍ଚ୍ଚ ୨୦୨ରୁ ୯୦ଦିନ ପାଇଁ ଏହି ବୀମା ପଲିସି ହେବ । ଏହି ବୀମା ଅଧୀନରେ, ସମସ୍ତ ବ୍ୟକ୍ତି ଦୁର୍ଘଟଣା କଭର ପାଇବେ, ଯେଉଁଥିରେ କୋଭିଡ-୧୯ ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଦେଶରେ କାର୍ଯ୍ୟ କରୁଥିବା ୨୨.୧୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ଏହି ସୁବିଧା ପାଇବେ । ଏଥିରେ ୫୦ ଲକ୍ଷ ଟଙ୍କାର ବୀମା କଭର ମିଳିବ । ଏହି ବୀମା ରାଶି ବୀମାଭୁକ୍ତ ବ୍ୟକ୍ତିଙ୍କ ଦ୍ବାରା ନାମାଙ୍କନକାରୀଙ୍କୁ ଦିଆଯିବ ।
ସୂଚନାଯୋଗ୍ୟ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ବୀମା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ସେହି ଘୋଷଣା ଅନୁଯାୟୀ ବୀମା କମ୍ପାନୀ ଏହି କଭର ପ୍ରଦାନ କରୁଛି ।