ବିବାହ କାର୍ଯ୍ୟକ୍ରମରେ ଏବେ ୨୦୦ ନୁହେଁ ମାତ୍ର ୫୦ ଅତିଥୀଙ୍କୁ ମିଳିବ ଅନୁମତି, କରୋନା ସଂକ୍ରମଣ ରୋକିବାକୁ ଲାଗୁ ହେଲା ନୂଆ ନିୟମ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ,୧୭|୧୧:  ଦେଶର ରାଜଧାନୀ ନୂଆଦିଲ୍ଲାରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏଠାରେ ଆତଙ୍କ ଥମିବାର ନାଁ ନେଉନାହିଁ । ଏପରିକି ଘାତକ ଭାଇରସର ତୃତୀୟ ଲହରୀ ଜାରି ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୯୯ଜଣ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କରୋନାର ଏପରି ସ୍ଥିତିକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଉଥିବା ସୁବିଧାକୁ ସୀମିତ ରଖାଯାଇଛି ।

ଅରବିନ୍ଦ କେଜ୍ରିଓ୍ୱାଲ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିବାହ କାର୍ଯ୍ୟକ୍ରମରେ ଆଉ ଏବେ ୨୦୦ ଅତିଥିଙ୍କୁ ଅନୁମତି ଦିଆଯିବ ନାହିଁ । କେବଳ ୫୦ଜଣ ହିଁ ଏକାଠି ହୋଇପାରିବେ । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ପ୍ରଥମେ ୫୦ ଓ ପରେ ୨୦୦ ଅତିଥି ପାଇଁ ଅନୁମତି ଦେଇଥିଲେ । ଏହି ସୁବିଧାକୁ ପ୍ରତ୍ୟାହାର କରାଯାଇଛି ।

ଏହାସହ ଦିଲ୍ଲୀ ସରକାର କେନ୍ଦ୍ରକୁ ଏକ ନୂଆ ପ୍ରସ୍ତାବ ଦେବେ ନେଇ ବିଚାର କରୁଛନ୍ତି । ବେଶୀ ଜନ ଗହଳିପୂର୍ଣ୍ଣ ସ୍ଥାନରେ  ସାମାଜିକ ଦୂରତା ରକ୍ଷା କରାନଗଲେ ଅସ୍ଥାୟୀ ରୂପରେ ବନ୍ଦ କରିବା ପାଇଁ ସରକାର ଅନୁମତି ମାଗିବେ । ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.