୫୦ ଜଣଙ୍କୁ ଅନୁମତି, ହେଲେ ବିଧାୟକଙ୍କ ପୁଅଙ୍କ ବିବାହରେ ସାମିଲ ହେଲେ ୨୫୦୦ରୁ ଅଧିକ ଲୋକ

Published By : Prameya-News7 Bureau | July 29, 2021 IST

ସୋଲାପୁର ୨୯।୦୭: କରୋନାର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଲୋକଙ୍କୁ ବାରମ୍ବାର ସଚେତନ କରାଉଛନ୍ତି। ହେଲେ କରୋନା ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ଲାଗୁ ହେଉଥିବା ଦେଖିବାକୁ ମିଳିଛି। ନେତା, ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ଯେମିତି ଏହି କଟକଣାର କୌଣସି ମୂଲ୍ୟ ନାହିଁ। ଆଉ ପ୍ରଶାସନ ଜନତାଙ୍କ ଉପରେ କେବଳ ନିଜର ପାରିବା ପଣିଆ ଦେଖାଉଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବାର ଅନେକ ନଜିର ରହିଛି। ଏହି କ୍ରମରେ ଜଣେ ବିଧାୟକ ନିଜ ପୁଅ ବାହାଘରରେ କରୋନା ନିୟମର ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି। ଅଭିଯୋଗ ହୋଇଛି ଯେ, ବିବାହ ଉତ୍ସବରେ ଶହେ କି ଦୁଇ ଶହ ନୁହେଁ ୨୫୦୦ରୁ ୩୦୦୦ ଲୋକ ସାମିଲ ହୋଇଥିଲେ। ଏହି ଘଟଣା ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଘଟିଛି। ପୋଲିସ ବିଧାୟକ ରାଜେନ୍ଦ୍ର ରାଉତଙ୍କ ଦୁଇ ପୁଅ ବିରୋଧରେ ମୋକଦ୍ଦମା ରୁଜୁ କରିଛି।

ବାରସିରୁ ନିର୍ଦ୍ଦଳୀୟ ବିଧାୟକ ରାଉତଙ୍କ ଦୁଇ ପୁଅଙ୍କ ବିବାହ ଗୋଟିଏ ଦିନରେ ଆୟୋଜିତ କରାଯାଇଥିଲା। ବିବାହ ଉତ୍ସବର ଆୟୋଜନ ଟାଉନରେ ସ୍ଥିତ ଲକ୍ଷ୍ମୀ ସୋପାନ  କୃଷି ଉତ୍ପାଦନ ସମିତି ପରିସରରେ କରାଯାଇଥିଲା। କୁହାଯାଉଛି ଯେ, ଏହି ଉତ୍ସବରେ ବହୁ ସଂଖ୍ୟାରେ ଲୋକେ ବିନା ମାସ୍କରେ ସାମିଲ ହୋଇଥିଲେ।

ଆରମ୍ଭରେ ବାରସି ପୋଲିସ ବିବାହ ସମାରୋହର ଆୟୋଜକ ଯୋଗେଶ ପାଓ୍ଵାରଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ବିପର୍ଯ୍ୟୟ ପ୍ରବନ୍ଧନ ନିୟମ ଏବଂ ମହାମାରୀ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା। ପରେ ବିଧାୟକଙ୍କ ଦୁଇ ପୁଅଙ୍କ ନାମ ଏଅଫଆଇଆରରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା କାରଣରୁ ରାଜ୍ୟରେ କୌଣସି ବି ବିବାହ ଉତ୍ସବରେ ୫୦ ଜଣ ଲୋକଙ୍କ ସାମିଲ ପାଇଁ ଅନୁମତି ରହିଛି। ମାତ୍ର  ବିଧାୟକଙ୍କ ପୁଅଙ୍କ ବିବାହରେ ସମସ୍ତ ନିୟମ କାନୁନର ଖୁଲମଖୁଲା ଉଲ୍ଲଂଘନ ହୋଇଥିଲା।  ଉତ୍ସବରେ ୨୫୦୦ରୁ ୩୦୦୦ ଲୋକ ସାମିଲ ହେଲେ। ହେଲେ ଅଧିକାଂଶ ଲୋକ ମାସ୍କ ପିନ୍ଧିନଥିଲେ। କୁହାଯାଉଛି ଯେ, ଏହି ବିବାହ ଉତ୍ସବରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ସମେତ ଅନେକ ନେତା ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.