ପୁଣି ସାମ୍ନାକୁ ଆସିଲା ଆଲିଗଡ଼ ଭଳି ଘଟଣା : ୫ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ନଦୀରେ ଫୋପାଡ଼ି ଦେଲା ମୃତଦେହ

Published By : Prameya-News7 Bureau | June 10, 2019 IST

ଚମ୍ପାରଣ ୧୦/୬ : ବିହାରର ପୂର୍ବ ଚମ୍ପାରଣରେ ଆଲିଗଡ଼ ଭଳି ଘଟଣା ଘଟିଛି । ବନକଟବା ଗାଁରେ ୫ ବର୍ଷର ନିରୀହ ଶିଶୁର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଶିଶୁ ସହ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ମୃତଦେହକୁ ନଦୀରେ ଫୋପାଡ଼ି ଦେଇଥିଲା । ନଦୀରୁ ଶିଶୁର ଗଳନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ପୀଡିତା ଶିଶୁର ଘରଲୋକଙ୍କ କହିବାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଶିଶୁଟି କ୍ଷୀର ଆଣିବା ପାଇଁ ଘରୁ ଦୋକାନକୁ ଯାଇଥିଲା । ଏହାପରେ ଶିଶୁ ନିଖୋଜ ହୋଇଯାଇଥିଲା । ଘରଲୋକ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁର କୌଣସି ଖୋଜଖବର ପାଇନଥିଲେ । ଏହାପରେ ପୀଡିତାଙ୍କ ପରିବାରଲୋକ ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ରବିବାର ଦିନ ଅରୁଣା ନଦୀରୁ ପୋଲିସ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ସେହି ନିଖୋଜ ଶିଶୁର ବୋଲି ଜଣାପଡିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ହତ୍ୟା ପରେ ଶବକୁ ନଦୀରେ ଫୋପାଡ଼ି ଦେଇଥିବା ପୋଲିସ କହିଛି ।

{"id":121639,"width":584,"height":359}

ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି । ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରି ଫାସି ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପୋଲିସ ଏହି ମାମଲାରେ ରାଜୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ପୂର୍ବରୁ ମଧ୍ୟ ରାଜୁ ନାଁରେ ଅନେକ ଅପରାଧିକ ମାମଲା ରହିଛି ଏବଂ ସେ ୩ଥର ଜେଲ ଯାଇଛି ।

 

ଗତ ୮ ଦିନ ପୂର୍ବରୁ ଉତ୍ତର ପ୍ରଦେଶ ଆଲିଗଡ଼ରୁ ଅଢେଇ ବର୍ଷ ଶିଶୁର କ୍ଷତବିକ୍ଷତ ମୃତଦେହ ଘର ପାଖ ଅଳିଆ ଗଦାରୁ ଉଦ୍ଧାର ହୋଇଥିଲା । ନିରୀହ ଶିଶୁର ଆଖି ଦୁଇଟି ତାଡି ଦେଇଥିଲେ ହତ୍ୟାକାରୀ । ଏହାସହ ମେରୁଦଣ୍ଡ ହାଡ ମଧ୍ୟ ଭାଙ୍ଗି ଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ବାମ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ମୁଣ୍ଡର ହାଡ ମଧ୍ୟ ଭାଙ୍ଗି ଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ଅତି ନିର୍ମମ ଭାବେ ଶିଶୁକୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ଶିଶୁ ଦେହରେ ଏସିଡ ମଧ୍ୟ ଢାଳି ଦେଇଥିଲେ ଅପରାଧୀ । ଏହାପରେ ମୃତଦେହକୁ ଏକ ଓଢଣୀରେ ବାନ୍ଧି ଘର ପାଖ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲେ । ବୁଲା କୁକୁର ଶିଶୁର ମୃତଦେହକୁ ଟାଣି ଓଟାରି ଖାଉଥିବା ବେଳେ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ଆଲିଗଡ଼ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଲୋକେ କ୍ୟାଣ୍ଡଲ ରାଲି କରି ଅଭିଯୁକ୍ତଙ୍କୁ ଫାସି ଦଣ୍ଡ ଦିଆଯାଉ ବୋଲି ଦାବି କରୁଛନ୍ତି । ଅପରପକ୍ଷରେ ଆଲିଗଡ଼ ବାର ଆସୋସିଏସନର ଓକିଲମାନେ ଅଭିଯୁକ୍ତର କେଶ ଲଢ଼ିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.