ସାଇଶ୍ରୀ ହତ୍ୟା ଘଟଣା: ଶେଷରେ କହୁ କହୁ ସବୁ କହିଦେଲା କୁନି ଝିଅ ...

Published By : Prameya-News7 Bureau | June 08, 2020 IST

ଭୁବନେଶ୍ୱର୮/୬:  ଘରକୁ ଖେଳିବା ପାଇଁ ଆସିଥିଲା ପଡୋଶୀଙ୍କ ୫ ବର୍ଷର ପୁଅ । ତାଙ୍କ ଛୋଟ ଝିଅ ସହ ଖେଳୁଥିଲା । ମୋବାଇଲ୍‌ ପାଇଁ ଜିଦି କରିଥିଲା । ଏଥିପାଇଁ ତାକୁ ମାର ପିଟ କରିବା ସହ ତଣ୍ଟି ଚିପି ମା ମାରିଦେଇଥିବା କଥା ଛୋଟ ଝିଅ କହିଛି । ଚାରି ବର୍ଷର ଝିଅ ମାଆର ଏହି ଘଟଣାକୁ ବଖାଣିଥିବା ସୂଚନା ମିଳିଛି । ସାଇରାମ୍‌ ମୋବାଇଲ୍‌ ମାଗିବାରୁ ମା ରାଗିଯାଇ ତାକୁ ମାଡ ମାରିଥିଲା । ପରେ ଏକ ଓଡଣୀ ଧରି ୫ ବର୍ଷର ସାଇରାମର ତଣ୍ଟିରେ ଗୁଡାଇ ଧରିଲା । ସେ ମରିଯିବାରୁ ନିଜ ତଣ୍ଟିରେ ଓଡଣୀ ଗୁଡାଇ ବେହୋସ ହୋଇ ପଡିଯାଇଥିଲା ବୋଲି ଛୋଟ ଝିଅଟି କହିଛି । ଏବେ ହତ୍ୟା ଅଭିଯୁକ୍ତା ତନୁଶ୍ରୀ ଡାକ୍ତରଖାନାରେ । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଆଇସିୟୁରୁ ବାହାରି ଜେନେରାଲ୍‌ ଓ୍ୱାର୍ଡକୁ ଆସିବା ପରେ ପୁଲିସ ତାଙ୍କ ବୟାନ ନେବ ।

ପଡ଼ୋଶୀ ତନୁଶ୍ରୀ ପାରମାଣିକ ସାଢ଼େ ୫ ବର୍ଷର ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟା କରିବା ଘଟଣା ଏବେ ବି ରହସ୍ୟରୁ ପରଦା ଫିଟିଛି। କେଉଁ କାରଣରୁ ଏଭଳି ବର୍ବର କାଣ୍ଡ ଭିଆଇଲେ, ଏଯାଏଁ ତାହାର ଠୋସ୍‌ ପ୍ରମାଣ ପୁଲିସକୁ ମିଳିନଥିଲା । ହେଲା ତାଙ୍କ ଛୋଟ ଝିଅ ହିଁ ଏହା ଉପରୁ ପର୍ଦ୍ଦା ଉଠାଇଛି । ପଡ଼ୋଶୀଙ୍କୁ ପଚରାଉଚରା ଓ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି, ଅଘଟଣ ପୂର୍ବରୁ ତନୁଶ୍ରୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା । ଦମ୍ପତିଙ୍କ କଳହ ଯୋଗୁ ସାଇଶ୍ରୀ ବଳି ପଡ଼ିଥିବା ପୁଲିସ ସନ୍ଦେହ କରିଥିଲା। ମାତ୍ର ଘଟଣା ଥିଲା ଅଲଗା।

ସୂଚନା ଯୋଗ୍ୟ ସାଇଶ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ତାଙ୍କ ନିକଟରେ ତନୁଶ୍ରୀ ଚେତା ଶୂନ୍ୟ ଅବସ୍ଥାରେ ପଡିଥିଲେ । ସାଇଶ୍ରୀଙ୍କ ଜେଜେଙ୍କ କହିବା ମୁତାବକ, ସେ ସାଇଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଏକ ଅସ୍ୱାଭାବିକ ଦୃଶ୍ୟ ଦେଖିଥିଲେ । ହଠାତ୍‌ ତନୁଶ୍ରୀ ତାଙ୍କ ଘରକୁ ଆସିଥିଲେ । ଆଉ ହିନ୍ଦୀ ଭାଷାରେ କହିଥିଲେ, ମୋ ସ୍ୱାମୀଙ୍କ ସହ ମୋର ପ୍ରବଳ ଝଗଡ଼ା ହୋଇଛି । ସେ ମୋ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଛନ୍ତି । ଟିକେ ଆପଣଙ୍କ ମୋବାଇଲ୍‌ ଦିଅନ୍ତୁ । ପଶ୍ଚିମବଙ୍ଗରେ ରହୁଥିବା ମୋ ପରିବାର ଲୋକଙ୍କୁ ଝଗଡ଼ା ସମ୍ପର୍କରେ ଜଣାଇବି । ବ୍ୟସ୍ତବିବ୍ରତ ହୋଇ ମୋବାଇଲରେ କଥା ହେଲା ପରେ ତନୁଶ୍ରୀ ନିଜ ଘରକୁ ପଳାଇଥିଲେ । ଏହାର କିଛି ସମୟ ପରେ ତନୁଶ୍ରୀ ପୁଣି ସାଇଶ୍ରୀଙ୍କ ଘରେ ପହଞ୍ଚି ସାଇଶ୍ରୀକୁ ନିଜ ଘରକୁ ଖେଳିବାକୁ ଡାକି ନେଇଥିଲେ । ମାନସିକ ଭାରସାମ୍ୟ ହରାଇ ସେ ଏଭଳି ବର୍ବର କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି ।

ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ଯାଇଥିଲା । ସିଲ୍‌ ହୋଇଥିବା ରୁମ୍‌କୁ ଖୋଲି ତନ୍ନତନ୍ନ କରି ଯାଞ୍ଚ କରିଥିଲା । ରୁମ୍‌ ଯାଞ୍ଚ ବେଳେ ଟିମ୍‌ ଦେଖିଛି, ଉକ୍ତ ରୁମ୍‌ର ସମସ୍ତ ଆସବାବପତ୍ର ଅସଜଡ଼ା ହୋଇ ପଡି଼ଥିଲା । ରୁମ୍‌ରେ ପଡିଥିବା ଖଟରେ ଏକ ଓଢ଼ଣୀ ଓ ଚଟାଣରେ ପଡି଼ଥିବା ୨ଟି ଖେଳନା ଜବତ କରିଛି ଟିମ୍‌ । ପ୍ରାୟ ଦେଢ଼ ଘଣ୍ଟା ଧରି ଟିମ୍‌ ଛାନ୍‌ଭିନ୍‌ କରିବା ପରେ ରାଜୀବ ନଗରରୁ ଫେରି ଯାଇଥିଲା । ତନୁଶ୍ରୀ ଏବେ ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ । ସେ ବେହୋସ୍‌ ହୋଇଯାଇଥିଲେ । ତନୁଶ୍ରୀ ଚିକିତ୍ସିତ ହେଉଥିବା ୱାର୍ଡ ବାହାରେ ପୁଲିସ୍‌ର ଏକ ଟିମ୍‌ ଜଗି ରହିଛି । ସେ ଜେନେରାଲ୍‌ ଓ୍ୱାର୍ଡକୁ ଆସିବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.