ଖାଇବାକୁ ନପାଇ ଜୀବନ ହାରିଲା ୫ ବର୍ଷର ଝିଅ, ୩ ଦିନ ଧରି ଘରେ ନଥିଲା କୌଣସି ଖାଦ୍ୟ

Published By : Prameya-News7 Bureau | May 17, 2020 IST

ଲାତେହର, ୧୭|୦୫:  କରୋନା ସଙ୍କଟ ମଧ୍ୟରେ ଝାଡଖଣ୍ଡର ଲାତେହରରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ୫ ବର୍ଷର ଶିଶୁ କନ୍ୟା ଅନାହରରେ ପ୍ରାଣ ହରାଇଛି । ଏହି ମାମଲା ଲାତେହାରର ହେସାତୁ ଗ୍ରାମରେ ଘଟିଛି ।

ପରିବାର ଲୋକଙ୍କ କହିବାନୁସାରେ, ଗତ ୩ ଦିନ ଧରି ଘରେ କୌଣସି ଖାଦ୍ୟ ନଥିଲା । ଏହାପୂର୍ବରୁ ସେମାନେ ପଡୋଶୀଙ୍କଠାରୁ ଖାଦ୍ୟ ଶସ୍ୟ ଆଣି ଚଳୁଥିଲେ । କିନ୍ତୁ ଗତ ୩ ଦିନ ହେଲା କିଛି ଖାଦ୍ୟ ମିଳିନଥିଲା । ଫଳରେ ଶିଶୁଟି ଭୋକରେ ଜୀବନ ହାରିଛି । ଏହି ଘଟଣା ଶନିବାର ଘଟିଛି । ତେବେ ସୂଚନା ପାଇ ଜିଲ୍ଲା ପ୍ରଶାସନର ଏକ ଟିମ୍ ମୃତ ଶିଶୁ କନ୍ୟାର ଘରେ ପହଁଚିଥିଲା । ତେବେ ୫ ବର୍ଷର ଝିଅଟି ଭୋକରେ ନୁହେଁ ବରଂ ଗରମରେ ପ୍ରାଣ ହରାଇଛି ବୋଲି ପ୍ରଶାସନିକ ଅଧିକାରୀମାନେ ସଫେଇ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଗ୍ରାମରେ ପହଁଚିଥିବା ଏସଡିଏମ ସାଗର କୁମାର କହିଛନ୍ତି ଯେ, ଝିଅଟି ଭୋକରେ ନୁହେଁ ବରଂ ଗରମରେ ପ୍ରାଣ ହରାଇଛି । ତେବେ ପୀଡିତ ପରିବାରକୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ଏହି ଘଟଣାକୁ ନେଇ ଗ୍ରାମବାସୀ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଗାଁ ମୁଖିଆ ଜିୟାଁ ଟ୍ରଞ୍ଜ୍ କହିଛନ୍ତି ଯେ, ପୀଡିତ ପରିବାର ପାଖରେ ରାସନ କାର୍ଡ ନାହିଁ । ତେଣୁ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳେନାହିଁ । ଝିଅଟିର ବାପା ଦିନ ମଜୁରିଆ ଭାବେ ପରିବାରର ଭରଣ ପୋଷଣ କରନ୍ତି । କିନ୍ତୁ ଲକଡାଉନ୍ ପାଇଁ ତାଙ୍କୁ କାମ ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.