Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହା ବିକାଶ ଅଘାଡିରେ ଅଲ୍ ଇଜ୍ ନଟ୍ ଓ୍ୱେଲ୍: ଶିବସେନାର ୫ କର୍ପୋରେଟର୍ ଏନସିପିରେ ମିଶିଲେ, ଏବେବି ସନ୍ଦେହରେ ଅଜିତ ପାଓ୍ୱାର

5/07/2020 at 5:08 PM

ମୁମ୍ବାଇ, ୦୫|୦୭:   ବିଜେପିଠୁ ମହାରାଷ୍ଟ୍ର ଛଡାଇ ଆଣିଲା କଂଗ୍ରେସ-ଏନସିପି-ଶିବସେନା ମେଣ୍ଟ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ । ପ୍ରଥମେ ସବୁକିଛି ଠିକ୍ ଠାକ୍ ଚାଲିଲା । କିନ୍ତୁ ଏବେ ମେଣ୍ଟରେ ଅଲ୍ ଇଜ୍ ନଟ୍ ଓ୍ୱେଲ୍। ଗତ କିଛି ଦିନ ତଳେ ଏନସିପି, କଂଗ୍ରେସ ଓ ଶିବସେନା ପରସ୍ପରକୁ ସମାଲୋଚନା କରିଥିଲେ । ଯାହା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଏବେ ପୁଣି ଶିବସେନାର ୫ଜଣ କର୍ପୋରେଟର ଏନସିପିରେ ଯୋଗ ଦେବା ପରେ ରାଜ୍ୟରେ ମେଣ୍ଟ ସରକାର ଠିକରେ ଚାଲିନଥିବା ଅନୁମାନ କରାଯାଉଛି ।

ମହାରାଷ୍ଟ୍ରରେ ଏବେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ମହାବିକାଶ ଅଘାଡି ସରକାର ଚଳାଇଛନ୍ତି । କିନ୍ତୁ ଏହା ମଧ୍ୟରେ ଅହମ୍ମଦନଗର ପାର୍ଣ୍ଣର ପଞ୍ଚାୟତର ୫ଜଣ କର୍ପୋରେଟର ଶିବସେନା ଛାଡି ଏନସିପିର ହାତ ଧରିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ଏହି ଯୋଗଦାନ ବେଳେ ଏନସିପିର ବରିଷ୍ଠ ନେତା ତଥା ମହରାଷ୍ଟ୍ର ରାଜନୀତିରେ ଏକପ୍ରକାର ଝଡ ସୃଷ୍ଟି କରିଥିବା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ । ସେ ଏକଦା ବିଜେପିକୁ ସମର୍ଥନ କରି ଝଡ ସୃଷ୍ଟି କରିଥିଲେ ।  ଅଜିତ ଏବେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏପରିକି କିଛି ଦିନ ତଳେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ୫ ବର୍ଷ ସ୍ଥିର ଭାବେ ମେଣ୍ଟ ସରକାର ଚାଲିବ ବୋଲି ଦମ୍ଭୋକ୍ତି ବାଢିଥିଲେ । ତେବେ ଉଭୟ ଏନସିପି ଓ ଶିବସେନା ସରକାରରେ ଥିବା ବେଳେ କଣ ପାଇଁ କର୍ପୋରେଟରମାନେ ଦଳ ବଦଳ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗୋଟିଏ ପରେ ଦେଖିବାକୁ ଗଲେ ରାଜ୍ୟର ତୃଣମୂଳ ସ୍ତରର କିଛି କର୍ମୀ ଶିବସେନାର କଂଗ୍ରେସ ଓ ଏନସିପି ସହ  ମେଣ୍ଟକୁ ଗ୍ରହଣ କରିପାରୁ ନଥିଲେ । ଏପରିକି ଏବେ ଅନେକ ମୁନିସିପାଲିଟି ବିଜେପି ଓ ଶିବସେନା କବଜାରେ ରହିଛି । କାରଣ ପୂର୍ବରୁ ଉଭୟ ଦଳ ମିଳିତଭାବେ ନିର୍ବାଚନ ଲଢି ଓ ସହଯୋଗରେ ମୁନିସିପାଲିଟି ହାତେଇବା ସହ କଂଗ୍ରେସ-ଏନସିପିକୁ ଚେକ୍ ଦେବାରେ ସଫଳ ହୋଇଥିଲେ ।

ଏହି ୫ଜଣ କର୍ପୋରେଟର ଏନସିପିରେ ଯୋଗ ଦେବା ପରେ ଏନସିପି ମଜବୁତ ହୋଇଛି । ଏପରିକି ସେହି ମୁନିସିପାଲଟିକୁ ହାତେଇବାରେ ସଫଳ ହୋଇପାରେ । କିନ୍ତୁ ଏହି ମିଶ୍ରଣ ପର୍ବକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । ଉପର ସ୍ତରରେ ଶିବସେନା-ଏନସିପି ମଧ୍ୟରେ ସମ୍ପର୍କ ଭଲ ନଥିବା କେହିକେହି କହୁଛନ୍ତି । ଯାହା ଫଳରେ ଏପରି ଦଳବଦଳ ରାଜନୀତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି ।

   Related Posts