ହନ୍ଦଓ୍ବାଡା ଅପରେସନରେ ଆର୍ମି କର୍ଣ୍ଣେଲ ଓ ମେଜରଙ୍କ ସମେତ ୫ ସହିଦ, ଦୁଇ ଆତଙ୍କବାଦୀ ସଫା

Published By : Prameya-News7 Bureau | May 03, 2020 IST

ଶ୍ରୀନଗର ୩।୫: ଜାମ୍ମୁ କାଶ୍ମୀରର ହନ୍ଦଓ୍ବାଡାଠାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଅପରେସନରେ ଦୁଇ ସେନା ଅଧିକାରୀଙ୍କ ସମେତ ୫ଜଣ ସହିଦ ହୋଇଛନ୍ତି । ସହିଦମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ଜଣେ ମେଜର, ଦୁଇଜଣ ଯବାନ ଏବଂ ଜାମ୍ମୁ କାଶ୍ମୀର ପୋଲିସର ସବ୍-ଇନ୍ସପେକ୍ଟର ଅଛନ୍ତି ।

କୁହାଯାଉଛି ଯେ ଏହି ଅପରେସନରେ ୨୧-ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ ଆଶୁତୋଷ ଶର୍ମା ସହିଦ ହୋଇଛନ୍ତି । କର୍ଣ୍ଣେଲ ଆଶୁତୋଷ ଅନେକ ସଫଳ ଅପରେସନରେ ସାମିଲ ଥିଲେ । ସୂଚନା ଅନୁଯାୟୀ, ଶନିବାରଠାରୁ ଏହି ଗୁଳିବିନିମୟ ଚାଲିଥିଲା । ଗୁଳି ବିନିମୟ ବନ୍ଦ ହୋଇଯାଇଛି, କିନ୍ତୁ ସେନାର ଅପରେସନ ଜାରି ରହିଛି ।

ସୁରକ୍ଷାକର୍ମୀଙ୍କ ଅପରେସନରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଏନକାଉଣ୍ଟର ପୂର୍ବରୁ ଦୁଇ ଆତଙ୍କବାଦୀ ଏଠାରେ ଥିବା ଏକ ଘରେ ଲୁଚି ରହିଥିଲେ । ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀ ଏହି ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡାଇ ଦେଇଥିଲେ । ବିସ୍ଫୋରଣ ଯୋଗୁଁ ପୁରା ଘରେ ନିଆଁ ଲାଗିଯାଇଥିଲା । ସୁରକ୍ଷାକର୍ମୀ ଏବେ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

{"id":263807,"sizeSlug":"large"}

ଏହା ବ୍ୟତୀତ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ତେବେ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ ।

ଅନ୍ୟପଟେ ଶନିବାର ପୁଲୱାମାର ଡଙ୍ଗରପୋରାରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିଥିଲେ । ନିଜକୁ ଘେରି ରହିଥିବାର ଦେଖି ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ । ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.