କର୍ଣ୍ଣାଟକ ୮/୪: କିଶୋରୀ ବୟସ । ଯୌବନ ଛୁଇଁବ ଛୁଇଁବ ହେଉଥାଏ । କିନ୍ତୁ ଦାରିଦ୍ର୍ୟର ତାଡନା ସେମାନଙ୍କୁ ବଞ୍ଚିବାର ସବୁ ମୌଳିକ ଆବଶ୍ୟକତାଠାରୁ ଦୂରରେ ରଖିଥାଏ । ଯାହାର ପେଟ ଚାଖଣ୍ଡକ ପାଇଁ ଦାନା ନଥାଏ ସେ ନିଜର ପ୍ରସାଧନ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବ କଣ । ବର୍ଷ ବର୍ଷ ଧରି ଦେହରେ ସାବୁନ ଲାଗିନଥିବ କି ମୁଣ୍ଡର ଚୁଟି ସଫା ହୋଇନଥିବ । ଟୁଟିସବୁ ଜଟ ବାନ୍ଧି ଆସୁଥିବ । ସେମିତି ଝିଅଙ୍କୁ ଖୋଜି ଅଣାଯାଏ । ଆଉ ୪/୫ଜଣ ପୁରୁଷ ସେମାନଙ୍କ ଦେହରୁ ଗୋଟି ଗୋଟି କରି ସବୁ ବସ୍ତ୍ର ଖୋଲିଦିଅନ୍ତି ସର୍ବ ସମ୍ମୁଖରେ ।
ଲାଜ, ଭୟ ଆଉ ଘୃଣାରେ ଏ ଝିଅଙ୍କ ଦେହ ଥରିଉଠୁଥାଏ । କିନ୍ତୁ ସମାଜିକ ପ୍ରଥା ଆଉ ନିଜ ଅସହାୟତା ଭିତରେ ସେମାନେ ହୋଇଯାଇଥାନ୍ତି ନିର୍ବାକ । ମୁହଁରୁ ବାହାରୁନଥାଏ କଥା । କିଶୋରୀ ବୟସର ଫୁଙ୍ଗୁଳା ଶରୀରକୁ ଅନ୍ୟମାନେ ଚାହିଁରହିଥାନ୍ତି ଲୋଲୁପ ଦୃଷ୍ଟିରେ, ଆଉ ହେଉଥାନ୍ତି ତୃପ୍ତ । ମନ୍ଦିରଭଳି ଏକ ପବିତ୍ର ସ୍ଥାନରେ ଘଟୁଥାଏ ଏହି ନାରକୀୟ ଘଟଣା ।
କୁହାଯାଏ ଦେବାଦେବୀଙ୍କ ପାଇଁ ଉତ୍ସର୍ଗୀକୃତ ହୁଅନ୍ତି ଏମାନେ । ଏହି ପ୍ରଥାର ନାଁ ହେଉଛି ଦେବଦାସୀ ପ୍ରଥା । କର୍ଣ୍ଣାଟକର ଅଧିକାଂଶ ମନ୍ଦିରରେ ଚାଲିଆସିଛି ଏହି ପ୍ରଥା । ବିଡମ୍ବନାର ବିଷୟ ହେଉଛି ଏମାନେ ଦେବତାଙ୍କ ପାଇଁ ସମର୍ପିତ ସତ । କିନ୍ତୁ ଏମାନଙ୍କୁ ଉପଭୋଗ କରିଥାନ୍ତି ସମସ୍ତେ । ସମୟକ୍ରମେ ଏହି ଦେବଦାସୀମାନେ ପାଲଟିଯାଆନ୍ତି ଗଣିକା, ବେଶ୍ୟା । ଜୀବନସାରା ଏମାନଙ୍କ ଜୀବନରେ ବୈବାହିକ ଜୀବନର ସୁଖ ନଥାଏ ।
ମନ୍ଦିରରେ ନୃତ୍ୟ ପରିବେଷଣ କରିବା ସହ ଅନ୍ୟମାନଙ୍କ ମନୋରଞ୍ଜନ କରିଥାନ୍ତି ଏମାନେ । କେବଳ କର୍ଣ୍ଣାଟକ ନୁହେଁ ଦକ୍ଷିଣ ଭାରତର ଅନେକ ମନ୍ଦିରରେ ଏଭଳି ପରଂପରା ଚାଲିଆସୁଛି । ଏପରିକି ଓଡିଶାର କିଛି ମନ୍ଦିରରେ ମଧ୍ୟ ଦେବଦାସୀ ପରମ୍ପରା ରହିଆସିଛି ।
ତେବେ ସମୟ ବଦଳିବା ସହ କିଛି କିଛି ଅଞ୍ଚଳରେ ଦେବଦାସୀଙ୍କ ପରିଭାଷା ମଧ୍ୟ ବଦଳିଛି । ଯେମିତିକି ପୁରୀ ଶ୍ରୀମନ୍ଦିରରେ ଥିବା ଦେବଦାସୀ ପରମ୍ପରା । ଏଠି ଦେବଦାସୀମାନେ ସାମାଜିକ ସମ୍ମାନ ସହିତ ସୁରକ୍ଷା ମଧ୍ୟ ପାଇଥାନ୍ତି । ଏକ ରିପୋର୍ଟ ଅନୁସାରେ କର୍ଣ୍ଣାଟକର ମନ୍ଦିରରେ ୯ହଜାର ୭୩୩ଜଣ ଦେବଦାସୀ ରହିଛନ୍ତି।