ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତୀୟ ସେନା: ସୈନ୍ୟ ପୋଷ୍ଟ ଧ୍ୱଂସ, ୫ ପାକ୍ ଯବାନ ନିହତ
12/04/2020 at 3:26 PM

ଶ୍ରୀନଗର, ୧୨|୦୪: ପାକ୍ ଅଧିକୃତ କାଶ୍ମୀରର ନୀଲମ ଉପତ୍ୟାକାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ବିଚଳିତ ହୋଇପଡିଥିବା ପାକିସ୍ତାନୀ ସେନା ବାଲାକୋଟ, ଶାହାପୁର, କସ୍ତବା, କୀରମୀ ଓ ମେଢର ସେକ୍ଟରରେ ଅସ୍ତ୍ରବିରତି ଉଲଙ୍ଘନ କରିଛି । ଏଥିରେ ଜଣେ ଯବାନ ସହିଦ ହେବା ସହ ଜଣେ ମହିଳା ଆହତ ହୋଇଛନ୍ତି । ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।ତେବେ ଭାରତର ମୁହଁତୋଡ ଜବାବରେ ପାକିସ୍ତାନର ଅଧିକ କ୍ଷତି ହୋଇଛି ।
ଭାରତୀୟ ସେନାର ଆକ୍ରମଣରେ ଅନେକ ପାକିସ୍ତାନୀ ପୋଷ୍ଟ ଧ୍ୱଂସ ହେବା ସହ ୫ରୁ ଅଧିକ ପାକ୍ ବାଟ୍ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଏହାସହ ଅନେକ ପାକ୍ ସୈନିକ ଆହତ ମଧ୍ୟ ହୋଇଛନ୍ତି । ଗୁଳି ବିନିମୟରେ ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ପାକିସ୍ତାନ ତରଫରୁ ଶୁକ୍ରବାର ରାତି ସାରା ବାଲାକୋଟ ସେକ୍ଟରରେ ଗୁଳିମାଡ କରାଯାଇଥିଲା । ଶନିବାର ସକାଳ ସାଢେ ୯ ଓ ଦିନ ୧୨ଟାକୁ ଶାହପୁର ଓ କସ୍ତବା ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲଙ୍ଘନ ହୋଇଥିଲା । ଏହାପରେ ପୁଣି ପାକ୍ ସଂଧ୍ୟାରେ ବାଲାକୋଟ, କସ୍ତବା, କୀରମୀ ଓ ଶାହପୁରରେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ ।
ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପ୍ରବଳ ଗୁଳିଗୋଳା ମାଡ କରିଥିଲା । ନୀଲମ ଘାଟିରେ ପାକର ଅନେକ ପୋଷ୍ଟ ଧ୍ୱଂସ ହୋଇଥିଲା । ଏଥିରେ ଅନେକ ପାକ୍ ସୈନିକ ନିହତ ହୋଇଥିବା ସୂଚନା ମିଳିଛି । ଭରତୀୟ ସେନା ପାକର ଅସ୍ତ୍ର ଭଣ୍ଡାରକୁ ମଧ୍ୟ ଟାର୍ଗେଟ୍ କରିଥିଲା ।