ଭୂତ ଭୟରେ ହଷ୍ଟେଲ ଛାଡିଲେ ଛାତ୍ର : ୫ଛାତ୍ର ଉଦ୍ଧାର

Published By : Prameya-News7 Bureau | September 22, 2019 IST

ମୟୂରଭଞ୍ଜ ୨୨/୯: ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବା ଛାତ୍ରମାନେ ହଷ୍ଟେଲରୁ ଲୁଚି ପଳାଇ ଆସିଛନ୍ତି। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବିଦ୍ୟାଳୟରେ କୁଆଡେ ପିଲାମାନଙ୍କୁ ଘାରିଛି ଭୂତର ଭୟ । ଯାହାକୁ ନେଇ ଫାଙ୍କା ହୋଇଗଲାଣି ବିଦ୍ୟାଳୟ ହଷ୍ଟେଲ । ଛାତ୍ରମାନେ ଲୁଚି ପଳାଇ ଆସିଥିବାବେଳେ ୫ଛାତ୍ରଙ୍କୁ ବସଷ୍ଟାଣ୍ଡରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବସଷ୍ଟାଣ୍ଡରେ ।   

ମୟୂରଭଞ୍ଜ ଜିଲ୍ଲା ଉଦଳା ବସଷ୍ଟାଣ୍ଡରୁ ୫ଜଣ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ୫ଜଣ ଛାତ୍ର କାନ୍ଧରେ ବ୍ୟାଗ୍ ଧରି ଚାଲି ଆସିଥିବାବେଳେ ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାରୁ ସେମାନେ ତାଙ୍କୁ ଅଟକାଇବା ସହିତ ଛାତ୍ରମାନଙ୍କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଉଦ୍ଧାର ଛାତ୍ରଙ୍କ କହିବାନୁସାରେ ସେମାନଙ୍କ ଘର ଉଦଳା ଥାନା ବଡସିଙ୍ଗାରିଆ ଏବଂ କଦଳୀବାଡିଆ ଅଂଚଳର ହୋଇଥିବାବେଳେ ସେମାନେ ଖଇରା ଥାନା ବାଂଛା କଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ରହି ପାଠ ପଢୁଥିଲେ । ତେବେ ହଷ୍ଟେଲରେ ଛାତ୍ରମାନଙ୍କୁ ଭୂତ ଡରାଇ ଆସୁଥିଲା ।

ଅଧତ୍କ ସଂଖ୍ୟକ ପିଲା ସାଙ୍ଗରେ ରହିଥିବା ବେଳେ ଗତକାଲି ୧୫ ଜଣଙ୍କ ମଧ୍ୟରୁ ୫ଜଣ ଛାତ୍ର ନିଜ ଘରକୁ ପଳାଇଥିଲେ । ଆଉ ୧୦ ଜଣ ଛାତ୍ର ହଷ୍ଟେଲରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଭୂତ ଭୟରେ ହଷ୍ଟେଲରୁ ଚାଲିଯାଇଥିବାବେଳେ ଏହି ଉଦ୍ଧାର  ହୋଇଥିବା ୫ ଜଣ ପିଲା ଆଜି ଭୋର ସମୟରୁ ହଷ୍ଟେଲରୁ ପଳାଇ ଆସିଛନ୍ତି । ତେବେ ସେମାନେ ଉକ୍ତ ବିଦ୍ୟାଳୟରୁ ଚାଲି ଚାଲି ଔପଦା ଛକ ପର୍ଯ୍ୟନ୍ତ ଆସିବା ପରେ ବସ ଯୋଗେ ଉଦଳା ଆସି ବସଷ୍ଟାଣ୍ଡରେ ଓହ୍ଲାଇଥିଲେ ।

ହେଲେ ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବା ପରେ ସେମାନେ ଛାତ୍ରମାନଙ୍କୁ ଅଟକାଇଥିଲେ । ଏବଂ ଉଦ୍ଧାର ଛାତ୍ରମାନଙ୍କୁ ଉଦଳା ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ପୋଲିସ୍ କିମ୍ବା ବିଦ୍ୟାଳୟ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଉଦ୍ଧାର ସମସ୍ତ ଛାତ୍ରଙ୍କ ମଧ୍ୟରୁ ୩ଜଣ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବାବେଳେ ଦୁଇ ଜଣ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.