ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି

Published By : Prameya-News7 Bureau | January 09, 2019 IST

ନୂଆଦିଲ୍ଲୀ ୯|୧: ଅଯୋଧ୍ୟାରେ ରାମ ଜନ୍ମଭୂମି - ବ୍ରାବ୍ରି ମସଜିଦ ବିବାଦୀୟ ଜମି ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମ କୋର୍ଟରେ ହବ । ଏହି ଗୁରୁତ୍ବପୁର୍ଣ୍ଣ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହି ଗୁରୁତ୍ବପୁର୍ଣ୍ଣ ପ୍ରସଙ୍କ ଉପରେ ସାର ଦେଶର ନଜର ରହିଛି  । 

ସୁପ୍ରିମକୋର୍ଟରେ ରାମ ମନ୍ଦିର ମାମଲା । କାଲି ହେବ ଶୁଣାଣି। ଏହି ଶୁଣାଣିରୁ ବାହାରିବ ମନ୍ଦିର-ମସଜିଦ ବିବାଦର ସମାଧାନର ଖିଅ।  ଯାହା ଉପରେ ନଜର ରଖିଛି ପୂରାଦେଶ ।  ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବ । ଏହି ଖଣ୍ଡପୀଠରେ ବିଚାରପତି ଏସ.ଏ. ବୋବଡେ, ଏନ.ଭି ରମଣା, ୟୁୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ ଅନ୍ୟ ସଦସ୍ୟ ଅଛନ୍ତି । ୧୫୦ବର୍ଷରୁ ଅଧିକ ପୂରୁଣା ଏହି ମାମଲାର ସମାଧାନ ଏବେ ୫ ଜଣିଆ ସମ୍ବିଧାନିକ ବେଞ୍ଚର ନିଷ୍ପତ୍ତି ଉପରେ ନିର୍ଭର କରୁଛି । 

ସାମ୍ବିଧାନିକ ବେଞ୍ଚ ଗଠନର ମୂଳ ଉଦ୍ଦେଶ୍ୟ ରହିଛି, ଏହି ମାମଲା ତୁରନ୍ତ ବିଚାର ହୋଇ ଫୈସଲା ହୋଇଯିବା ଆବଶ୍ୟକ । ମାମଲାରେ ସଂପୃକ୍ତ ପକ୍ଷମାନେ ମଧ୍ୟ ସେୟା ହିଁ ଚାହୁଁଛନ୍ତି। ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ ଏହି ମାମଲାର ଶୁଣାଣି କରି ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ । ମାମଲା ଡେରି ହେଉଥିବା ଦେଖି ରାମମନ୍ଦିର ତୁରନ୍ତ ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ବିଭିନ୍ନ ହିନ୍ଦୁ ସଂଗଠନ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଅଧ୍ୟାଦେଶ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି। ବିଚାର ବିଭାଗୀୟ ସମାଧାନ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ବଲ୍‌ ଏବେ କୋର୍ଟଙ୍କ କୋର୍ଟରେ ।

ରାମମନ୍ଦିର ପ୍ରସଙ୍ଗରେ ଆସନ୍ତାକାଲିର ଶୁଣାଣି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଥିବା ଚର୍ଚ୍ଚା ଯୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.