ଆଇଟିବିପିର ୫ ଯବାନ କରୋନା ସଂକ୍ରମିତ, କ୍ୱାରେଣ୍ଟାଇନରେ ପୁରା କମ୍ପାନୀର ୯୦ ସୈନିକ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ, ୦୧|୦୫: ଭାରତ-ତିବ୍ଦତ ସୀମା ପୋଲିସ ଫୋର୍ସ ବା ଆଇଟିବିପିର ୫ ଯବାନ କରୋନା ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର ଏନେଇ ଆଇଟିବିପର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏବେସୁଦ୍ଧା ୯୦ ଯବାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ପାହାଡରେ ଯୁଦ୍ଧ କରିବା ପାଇଁ ସ୍ୱତନ୍ତ୍ର ତାଲିମ ପାଇଥିବା ଏହି ଯବାନଙ୍କ ମଧ୍ୟରେ ଏହା କରୋନାର ପ୍ରଥମ ମାମଲା ।

ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀର ଜିଗରୀ ଅଞ୍ଚଳରେ ଅର୍ଦ୍ଧସୈନିକ ବଳର ଏକ ବେସ୍ କ୍ୟାମ୍ପରେ ଆବଶ୍ୟକ ସେବାରେ ସାମିଲ ଥିବା ୩ ଯବାନ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲା । ଏହାପରେ ସେମାନଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଆଉ ଏକ ମାମଲାରେ ଦୁଇ ଦିନ ପୂର୍ବରୁ ୫୦ ବାଟାଲିୟନର ସଂକ୍ରମିତ ଉପ-ନିରୀକ୍ଷକ ଓ ହେଡ୍ କନଷ୍ଟେବଳ ରାଙ୍କର ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍ ପାଇଁ ହରିୟାଣା ଏମସରେ ଭର୍ତ୍ତି କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ୫୦ ବାଟାଲିୟନକୁ ପୋଲିସ ସହ ଆଇନ  ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ମୁତୟନ କରାଯାଇଥିଲା । ଏବେ ୯୦ ଯବାନ ବିଶିଷ୍ଟ କମ୍ପାନୀକୁ କ୍ୱାରେଣ୍ଟାଇନରେ ପଠାଯାଇଛି । ସୂଚନାଯୋଗ୍ୟ, ଆଇଟିବିପିରେ ୯୦ ହଜାର ଯବାନ ରହିଛନ୍ତି । ଏହି ଯବାନମାନେ ଚୀନ ସୀମାରେ ମୁତୟନ ହୋଇଥାନ୍ତି । ଏହାସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.