ପ୍ରୋଟୋକଲ୍ ଭାଙ୍ଗି ରେଷ୍ଟୁରାଣ୍ଟରେ ଖାଇଲେ : ଏବେ ୫ ଭାରତୀୟ କ୍ରିକେଟର ଆଇସୋଲେସନରେ, ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା

Published By : Prameya-News7 Bureau | January 02, 2021 IST

ମେଲବର୍ଣ୍ଣ ୦୨/୦୧ : ଭାରତୀୟ କ୍ରିକେଟ୍ ଟିମର ୫ ଜଣ ଖେଳାଳୀଙ୍କୁ ଆଇସୋଲେସନ କରାଯାଇଥିବା ସୂଚନା ମିଳିଛି । ନୂଆବର୍ଷ ଅବସରରେ ଭାରତୀୟ ଦଳର ଖେଳାଳି ରୋହିତ ଶର୍ମା, ଋଷଭ ପନ୍ତ, ଶୁଭମନ ଗିଲ୍, ପୃଥ୍ୱୀ ଶ ଓ ନବଦୀପ ସୈନୀ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ୍ କରୁଥିବା ନଜର ଆସିଥିଲେ । ଏମାନଙ୍କ ବିରୁଦ୍ଧରେ ବାୟୋ-ସିକ୍ୟୁରିଟି ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗ ଆସିଥିଲା । ଏହା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ତଦନ୍ତ ଆରମ୍ଭ କରିଥିଲା ।

ରେଷ୍ଟୁରାଣ୍ଟରେ ଲଞ୍ଚ୍ କରୁଥିବା ଫଟୋ ଭାଇରାଲ ହେବା ପରେ ଏହାର ତଦନ୍ତ ଆରମ୍ଭ କରିଥିଲା ବିସିସିଆଇ । ଖେଳାଳୀମାନେ ବାୟୋ ସିକ୍ୟୁରିଟି ପ୍ରୋଟୋକଲର ଉଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହାର ତଦନ୍ତ କରି ବିସିସିଆଇ ସଂପୃକ୍ତ ୫ ଜଣ ଖେଳାଳୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦେଶ ଦେଇଛି ।

କରୋନା କାରଣରୁ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଥିଲା । ଏହି ଗାଇଡଲାଇନରେ ଉଲ୍ଲେଖ୍ୟ ଥିଲା ଯେ, ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସଦସ୍ୟ ବାହାରେ ବୁଲିପାରିବେ କିନ୍ତୁ ବାହାରେ କିଛି ଖାଇପାରିବେ ନାହିଁ ।  କିଛି ଖାଇବା ଓ ରେଷ୍ଟୁରାଣ୍ଟରେ ବସିବା ପାଇଁ ବାରଣ କରାଯାଇଥିବା ବେଳେ ଖେଳାଳିମାନେ କିନ୍ତୁ ନିୟମ ଉଲ୍ଲଂଘନ କରି ଚେଡଷ୍ଟନ୍ ସପିଂ ସେଣ୍ଟରର ବାର୍ ବି କ୍ୟୁ ରେଷ୍ଟୁରାଣ୍ଟ ଭିତରେ ଖାଉଥିବା ଦେଖିବାକୁ ମିଳିଥିଲା । ରେଷ୍ଟୁରାଣ୍ଟର କର୍ମଚାରୀ ସିଡନୀ ମର୍ଣ୍ଣିଂ ହେରାଲ୍ଡକୁ କହିଥିଲେ ଯେ, ଭାରତୀୟ ଖେଳାଳି ନୂଆବର୍ଷ ଦିନ ଏଠାକୁ ଆସିଥିଲେ ।

ତେବେ ବର୍ତ୍ତମାନ ଆଇସୋଲେସନରେ ଥିବା ଖେଳାଳୀମାନେ ପରବର୍ତ୍ତୀ ମ୍ୟାଚ୍ ଖେଳିପାରିବେ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଯଦି ଆଇସୋଲେସନରେ ଥିବା ଖେଳାଳୀମାନେ ତୃତୀୟ ଟେଷ୍ଟ ନଖେଳନ୍ତି ତେବେ ଭାରତ ପାଇଁ ଏକ ବଡ ସମସ୍ୟା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.