ବିଜେପି ବିଧାୟକଙ୍କ ଘର ପାଖ ଗହଣା ଦୋକାନରୁ ଚୋରି: ୫ କୋଟିରୁ ଅଧିକ ଟଙ୍କାର ସୁନା ଲୁଟିଲେ, ଫାୟାରିଂ ବି କଲେ
9/12/2020 at 6:07 PM

ଦରଭଙ୍ଗା ୦୯/୧୨: ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟୟ ଆଡ଼କୁ ଗତି କରୁଥିବା ଅଭିଯୋଗ ହେଉଥିବା ବେଳେ ଅପରାଧୀ ଅପରାଧ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି। ଖୋଦ ବିଜେପି ବିଧାୟକଙ୍କ ବାସଭବନ ପାଖରେ ଥିବା ଗହଣା ଦୋକାନରୁ କୋଟି କୋଟି ଟଙ୍କା ସୁନା ଅଳଙ୍କାର ଚୋରି ଏହାର ପ୍ରମାଣ ଦେଉଛି। ଏଭଳି ଏକ ହାଇପ୍ରୋଫାଇଲ୍ ଚୋରି ଦରଭଙ୍ଗାର ବଡ଼ ବଜାରରେ ଘଟିଛି।
ଗହଣା ଦୋକାନରୁ ପାଖାପାଖି ୧୦ କିଲୋଗ୍ରାମ ସୁନା ସହ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ଆଇଜି ଅଜିତାଭ କୁମାର, ଏସପି ବାବୁ ରାମ ସହ ପୁରା ଟିମ୍ ପହଞ୍ଚିଛି। ଚୋରି ହୋଇଥିବା ସୁନାର ମୂଲ୍ୟ ଆକଳନ କରାଯାଉଛି ବୋଲି ଏସପି ବାବୁ ରାମ କହୁଥିବା ବେଳେ ଦୋକାନ ପକ୍ଷରୁ ଏହା ୫ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ୧୦.୩୦ରେ କିଛି ସଶସ୍ତ୍ର ଅପାରାଧୀ ବଡ଼ ବଜାରରେ ଥିବା ଗହଣା ଦୋକାନରୁ କୋଟି କୋଟି ଟଙ୍କାର ସୁନା ଗହଣା ଲୁଟ କରିଛନ୍ତି। ଏହା ସହ ଲୁଟ କରି ଫେରିବା ବେଳେ ଅପରାଧୀମାନେ ଫାୟାରିଂ ବି କରିଛନ୍ତି। ଏହି ଘଟଣା ଭାଜପାର ନଗର ବିଧାୟକ ସଞ୍ଜୟ ସରାବଗୀଙ୍କ ବାସଭବନରୁ ମାତ୍ର ୨୦୦ ମିଟର ଦୂରରେ ଘଟିଛି।