ନୂଆଦିଲ୍ଲୀ ୦୬।୦୪: ଭାରତ ମହାସାଗରରେ ଭାରତ, ଆମେରିକା ସହିତ ୫ ଦେଶର ନୌସେନା ସମରାଭ୍ୟାସ୍ ଆରମ୍ଭ କରିଛନ୍ତି। ଏହା ଦେଖି ଚୀନର ଚିନ୍ତା ବଢି ଯାଇଛି ଏବଂ ସର୍ବଦା ଧମକପୂର୍ଣ୍ଣ କଥା କହୁଥିବା ଡ୍ରାଗନ ଏବେ ଶାନ୍ତିର ଭାଷା କହୁଛି। ଚୀନ ମଙ୍ଗଳବାର କହିଛି ଯେ, ବିଭିନ୍ନ ଦେଶ ମଧ୍ୟରେ ସୈନ୍ୟ ସହଯୋଗ କ୍ଷେତ୍ରୀୟ ଶାନ୍ତିର ଅନୁକୂଳ ହେବା ଉଚିତ୍। ଦକ୍ଷିଣ ଏସିଆରେ ବଢୁଥିବା ଚୀନର ଦାଦାଗିରି ମଧ୍ୟରେ ଭାରତ ମହାସାଗରରେ ଫ୍ରାନ୍ସ ଓ ଭାରତ ସହିତ କ୍ଵାଡର ଅନ୍ୟ ସଦସ୍ୟ ନୌସମରାଭ୍ୟାସରେ ସାମିଲ ହୋଇଛନ୍ତି। କ୍ଵାଡ ଦେଶର ଏହି ସମରାଭ୍ୟାସ୍ର ଗୋଟିଏ ଦିନ ପରେ ଚୀନର ଏହି ଟିପ୍ପଣୀ ଆସିଛି।
ଭାରତ ଓ କ୍ଵାଡର ତିନି ଅନ୍ୟ ସଦସ୍ୟ ଦେଶ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସୋମବାର ପୂର୍ବ ଭାରତ ମହାସାଗରରେ ଫ୍ରାନ୍ସ ସହିତ ତିନି ଦିନିଆ ନୌସମରାଭ୍ୟାସ୍ ଆରମ୍ଭ କରିଛନ୍ତି। ହେଲେ ଫ୍ରାନ୍ସ ପ୍ରଥମ ଥର କ୍ଵାଡ ଦେଶ ସହିତ ମିଶି ଭାରତ ମହାସାଗରରେ ସମରାଭ୍ୟାସ୍ କରିଛି। ଫ୍ରାନ୍ସକୁ ନେଇ ଚୀନ କହିଛି ଯେ, ଏହି ଧରଣର ସହଯୋଗ କ୍ଷେତ୍ରରେ ଶାନ୍ତି ପାଇଁ ଅନୁକୂଳ ହେବା ଉଚିତ୍।
ଚୀନ ମତରେ ଦେଦ ଦେଶ ମଧ୍ୟରେ ସୈନ୍ୟ ସହଯୋଗ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ପାଇଁ ଅନୁକୂଳ ହେବା ଉଚିତ୍। ଏହି ଅଭିଯାନ ସମୟରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଓ ବିମାନ ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାର ଯୁଦ୍ଧ ଜାହାଜ ଓ ବିମାନ ସହିତ ସମୁଦ୍ରରେ ନୌସମରାଭ୍ୟାସ୍ କରିବେ।