ରାଜ୍ୟ ପୋଲିସ୍‌ରେ ୫.୩୧ ଲକ୍ଷ, କେନ୍ଦ୍ରୀୟ ସଶସ୍ତ୍ର ବଳରେ ୧.୨୭ ଲକ୍ଷ ପୋ​ଷ୍ଟ ଖାଲିପଡ଼ିଛି- ରିପୋର୍ଟ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦/୧୨: ଦେଶରେ ପୋଲିସ ମରୁଡ଼ି ! ବିଭିନ୍ନ ରାଜ୍ୟରେ ଖାଲିପଡ଼ିଛି ୫.୩୧ ଲକ୍ଷ ପୋଲିସ୍‌ ପଦବୀ। କେବଳ ସେତିକି ନୁହେଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌)ରେ  ୧.୨୭ ଲକ୍ଷ ପୋଷ୍ଟ ଫାଙ୍କା ପଡ଼ିଛି। ଏନେଇ ମଙ୍ଗଳବାର ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ବ୍ୟୁରୋ ପକ୍ଷରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହା ସହ ବିଭିନ୍ନ ପଦବୀରେ ୨୦୧୯ରେ ମୋଟ ୧,୧୯,୦୬୯  ପୋଲିସ ନିଯୁକ୍ତ ହୋଇଥିଲେ।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ୨୬,୨୩,୨୨୫ ପଦବୀ ଥିବା ବେଳେ ଏବେ ୨୦,୯୧,୪୮୮ ଜଣ ନିଯୁକ୍ତ ହୋଇଛନ୍ତି। ତେଣୁ ୫,୩୧,୭୩୭ ପୋ​‌ଷ୍ଟ ଏବେ ବି ଫାଙ୍କା ପଡ଼ିଛି। ଏଥିରେ ସିଭିଲ ପୋଲିସ, ଜିଲ୍ଲା ସଶସ୍ତ୍ର ପୋଲିସ, ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ଓ ଇଣ୍ଡଆ ରିଜର୍ଭ ବାଟାଲିୟନ୍‌ ଅନ୍ତର୍ଭୁକ୍ତ।

ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ବ୍ୟୁରୋ ରିପୋର୍ଟ ଅନୁସାରେ ପୋଲିସରେ କେବଳ ୧୦.୩୦ ପ୍ରତିଶତ ମହିଳା ଚାକିରୀ କରିଛନ୍ତି। ଯାହାର ସଂଖ୍ୟା ୨,୧୫,୫୦୪ । କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥିରେ ୧୬.୦୫ ପ୍ରତିଶତ ବୃଦ୍ଧି ଘଟିଛି। ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ବ୍ୟୁରୋର ଡାଟା ଅନୁସାରେ ସିଏପିଏଫରେ ୧୧,୦୯,୫୧୧ ପୋଷ୍ଟ ଥିବା ବେଳେ ଜାନୁଆରୀ ୨୦୨୦ ସୁଦ୍ଧା ୯,୮୨,୩୯୧ ଜଣ ଚାକିରୀରେ ଅଛନ୍ତି। ଏବେ ବି ୧,୨୭,୧୨୦ ପଦବୀ ଫାଙ୍କା ପଡ଼ିଛି। ସେହିଭଳି ସିଏପିଏଫ୍‌ରେ ମହିଳା ଅଧିକାରୀଙ୍କ ସଂଖ୍ୟା କେବଳ ୨୯,୨୪୯। ମୋଟ ପୋଷ୍ଟର ଏହା ହେଉଛି ୨.୯୮ ପ୍ରତିଶତ। ସିଏଫିଏଫ କହି​‌ଲେ ସିଆରପିଏଫ, ବିଏସ୍‌ଏଫ୍‌, ସିଆଇଏସଏଫ, ଆଟିବିପି, ଏସଏସବି, ଏନଏସ୍‌ଜି ଓ ଆସାମ ରାଇଫଲସ୍‌କୁ ବୁଝାଏ।

ସୂଚନା ଅନୁସାରେ ୫୧୧.୮୧ ଜଣ ଲୋକଙ୍କ ପାଇଁ ଜଣେ ପୋଲିସ ଅଧିକାରୀ ରହିବାକୁ ଥିବା ବେଳେ ପ୍ରତି ଲକ୍ଷରେ ୧୯୫.୩୯ ପୋଲିସ ରହିବେ। ସେହିଭଳି ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ୭୯.୮୦ ଜଣ ପୋଲିସ ଅଧିକାରୀ ରହିବାର ନିୟମ ରହିଛି। ଡାଟା ଅନୁସାରେ ଦେଶରେ ୮୦୦ ପୋଲିସ ଜିଲ୍ଲା ଥିବା ବେଳେ ୧୬,୯୫୫ ଥାନା ରହିଛି। ରାଜ୍ୟ ଆର୍ମଡ୍‌ ପୋଲିସ୍‌ ବାଟାଲିୟନ୍‌ ୩୧୮ ଥିବା ବେଳେ ମୋଟ କମିସନରେଟ୍‌ ୬୩ଟି ରହିଛି। ଏହା ସହ ଦେଶରେ ମୋଟ ୨,୦୨,୯୨୫ ପୋଲିସ୍‌ ଭ୍ୟାନ୍‌ ଥିବା ବେଳେ ୪,୬୦,୨୨୦ ସିସିଟିଭି ରହିଛି ବୋଲି ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.