Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ଓଡ଼ିଶାରେ ଶେଷ ହେଲା ନିର୍ବାଚନ

29/04/2019 at 6:06 PM

ଭୁବନେଶ୍ବର ୨୯/୪: ସରିଲା ଭୋଟ୍‌ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ଓଡ଼ିଶାରେ ଶେଷ ହୋଇଛି ନିର୍ବାଚନ । ୨୧ ଲୋକସଭା ସହ ୧୪୬ ବିଧାନସଭା ଆସନ ପାଇଁ ସିଲ୍‌ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଲା ୩ ପର୍ଯ୍ୟାୟ ଭଳି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ୬ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ନିଜର ପ୍ରତିନିଧି ବାଛିସାରିଛନ୍ତି ଭୋଟର । ତେବେ ଏହି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ କାଁ ଭାଁ ଗଣ୍ଡଗୋଳ ସହ ଇଭିଏମ ମେସିନ୍‌ ଅଚଳ ଯୋଗୁଁ ମତଦାନ ପ୍ରଭାବିତ ହୋଇଥିବା ଖବର ଆସିଛି ।

ସରିଲା ୫୦ଦିନର କସରତ । ଚତୁର୍ଥ ପର୍ଯ୍ୟାୟ ସହ ଓଡ଼ିଶାରେ ସରିଛି ଭୋଟ୍‌ । ଇଭିଏମ୍‌ରେ ସିଲ୍‌ ହୋଇସାରିଛି ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ । କିଛି ଦିନ ତଳେ ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲ୍‌ଙ୍କ ଦେହାନ୍ତ ଯୋଗୁଁ କେବଳ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମେ’ ୧୯କୁ ଘୁଞ୍ଚିଛି । ହେଲେ ଏହି ଆସନରେ କିନ୍ତୁ ସାଂସଦ ପ୍ରାର୍ଥୀଙ୍କ ପାଇଁ ଆଜି ପଡ଼ିଛି ଭୋଟ୍‌ । ଏଥି ସହ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ ଭଳି ୬ ଲୋକସଭା ଏବଂ ଏହା ଅଧୀନରେ ଥିବା ୪୧ ବିଧାନସଭା କ୍ଷେତ୍ରରେ ଜନସାଧାରଣ ସେମାନଙ୍କ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି । ତେବେ ଏସବୁ ଅଂଚଳରେ କେତେ ପ୍ରତିଶତ ମତଦାନ ହୋଇଛି ଆଉ କ’ଣ ସବୁ ସମସ୍ୟା ସୃଷ୍ଟି ହୋଇଥିଲା ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆମେ ଯଦି ଦେଖିବା ତାହେଲେ ସମସ୍ତଙ୍କ ଫୋକସରେ ଥିଲା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର । ଯେଉଁଠାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ଭିତରେ ହୋଇଥିଲା କଡ଼ା ଟକ୍କର । ଏଠାରୁ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରୁ ପ୍ରାର୍ଥୀ ହେବା ପରେ ବିଜେଡି ଓଲିଉଡ୍‌ ଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଏଠାରୁ ମଇଦାନକୁ ଉତ୍ତାରିଥିଲା । ସେହିଭଳି ବରିଷ୍ଠ ଆଇନଜୀବ ଧରଣୀଧର ବେହେରାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ସେପଟେ କେନ୍ଦ୍ରାପଡ଼ାରେ ବିଜେପି ଓ ବୈଜୟନ୍ତଙ୍କୁ ରୋକିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଥିଲା । ଯାହାକୁ ନେଇ ଖୁବ୍‌ ସିରିୟସ୍‌ ହୋଇଯାଇଥିଲା ଦଳ । ପ୍ରଚାର ସରିବାର ଗୋଟେ ଦିନ ପୂର୍ବରୁ ଖୋଦ୍‌ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ରହି ଲଗାତର ଭାବେ ରୋଡ୍‌ ଶୋ’  ପ୍ରଚାର କରିଥିଲେ । ଏଥି ସହ ଦଳର ଶତାଧିକ ମନ୍ତ୍ରୀ ବିଧାୟକ ମଧ୍ୟ କେନ୍ଦ୍ରାପଡ଼ାରେ ଡେରା ପକାଇଥିଲେ । ଆଜି ମଧ୍ୟ ମତଦାନ ସମୟରେ କେନ୍ଦ୍ରାପଡ଼ାରେ ବିଭିନ୍ନ ଅଂଚଳରେ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ଟକରାଟକରି ପରିସ୍ଥିତି ଦେଖିବାକୁ ମିଳିଥିଲା । ସେପଟେ ଇଭିଏମ୍‌ ଅଚଳ ଯୋଗୁଁ ମଧ୍ୟ ଅନେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । 

ସେହିଭଳି ୫୦ରୁ ଅଧିକ ସ୍ଥାନରେ ଇଭିଏମ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା ।ଏଥି ସହ ବିଭିନ୍ନ ସ୍ଥାନରୁ ବୁଥ୍‌ ରିଗିଂର ଅଭିଯୋଗ ମଧ୍ୟ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ଔପଦା କୋରିରାପଲ୍ଲୀ ଗାଁରେ ୧୬୦ ନମ୍ବର ବୁଥରେ ଜଣେ ବ୍ୟକ୍ତି ବୁଥ ଭିତରେ ପଶି ଏକାଧିକ ଭୋଟ୍‌ ଦେଇଥିବା ଅଭିଯୋଗ ହୋଇଛି । ଆଳିରେ ୩୧୦ ନମ୍ବର ବୁଥରେ ମଧ୍ୟ ବୁଥ ରିଗିଂର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।  ଯାଜପୁରରେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି । ସେମାନଙ୍କୁ ମଧ୍ୟ ଗିରଫ କରାଯିବା ନେଇ ସୂଚନା ମିଳିଛି । ସେହିଭଳି  ନିମାପଡ଼ାରେ ମଧ୍ୟ ଜଣେ ପୋଲିଂ ଅଫିସର ଗିରଫ ହୋଇଛନ୍ତି ।

 

ବାଲେଶ୍ବର ସହଦ ପୋଖରାବାଡ଼ରେ ଭୋଟିଂ ଚାଲିଥିବା ବେଳେ ୨ଗୋଷ୍ଠୀ ମଧ୍ୟରେ  ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।  ସେହିଭଳି ନିଆଳି ନିର୍ବାଚନ ମଣ୍ଡଳୀର ନୂଆଗାଁ ୨୨୮ ଓ ୨୨୯ ନମ୍ବର ବୁଥରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।

ନିଆଳି ନିର୍ବାଚନ ମଣ୍ଡଳିର ନୂଆଗାଁରେ ଉତ୍ତଜେନା । ନୂଆଗାଁ ୨୨୮ ଓ ୨୨୯ ନମ୍ବର ବୁଥ୍ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ବିଜେଡି ଓ ବିଜେପି ମୁହାଁମୁହିଁ । ଇଟା ପଥର ଧରି ପରିସ୍ପରକୁ ଆକ୍ରମଣ କରିଛନ୍ତି । ପୋଲିସ ପହଞ୍ଚି ପରସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି । ପାରାଦୀପ ନିର୍ବାଚନ ମଣ୍ଡଳୀ ନାଳିଆପାଳ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଭୋଟ୍‌ ବର୍ଜନ କରିବାକୁ ଗାଁ ଲୋକେ ଜିଦ୍‌ ଧରିଥିବା ବେଳେ ଘଟଣା ସ୍ଥଳରେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ସେପଟେ ବାଲିକୁଦା-ଏସରମା ନିର୍ବାଚନ ମଣ୍ଡଳୀରେ ଗଡ଼କୁଜଙ୍ଗ ନୋଳିଆସାହିରେ  ଜଣେ କଂଗ୍ରେସ କର୍ମୀଙ୍କୁ ବୋତଲରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଲଛମନ ବେହରା । ସେ ଭୋଟ୍‌ ଦେଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛନ୍ତି । ସେହିଭଳି ଯାଜପୁରରେ ଏସପିଙ୍କ ଉପସ୍ଥିତିରେ ଅଲିପୁର ବୁଥରେ ବାହାରେ କିଛି ଦୁର୍ବୃତ୍ତ ଢ଼େଲାମାଡ଼ କରିଥିଲେ । ତୁରନ୍ତ ପୋଲିସ ବୁଥ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ବୁଥ୍‌ରେ ଅନିୟମିତତା ଅଭିଯୋଗ ଆସିଛି । ତଥାପି ପ୍ରବଳ ଖରା ଓ ଗୁଳୁଗୁଳି ସତ୍ବେ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

   Related Posts