ନବରାତ୍ରିର ଚତୁର୍ଥ ଦିନରେ କରନ୍ତୁ ମାଆ କୁଷ୍ମାଣ୍ଡାଙ୍କ ପୂଜା : ମିଳିବ ସବୁ ପ୍ରକାର ରୋଗରୁ ମୁକ୍ତି

Published By : Prameya-News7 Bureau | October 20, 2020 IST

ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ଆଶ୍ବିନ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ନବରାତ୍ରିର ଚତୁର୍ଥ ଦିନ। ନବରାତ୍ରିର ଚତୁର୍ଥ ଦିନ ଦେବୀ ମାଙ୍କ ଚତୁର୍ଥ ସ୍ବରୂପ ମା କୁଷ୍ମାଣ୍ଡାଙ୍କ ପୂଜା ଆରାଧନା କରାଯାଇଥାଏ। ଆସନ୍ତୁ ଜାଣିବା ମାଙ୍କ ଚତୁର୍ଥ ସ୍ବରୂପ ମା କୁଷ୍ମାଣ୍ଡାଙ୍କ ମହିମା,ସ୍ବରୂପ,ପୂଜା ବିଧି ଏବଂ ମନ୍ତ୍ର ବିଷୟରେ

ମା କୁଷ୍ମାଣ୍ଡାଙ୍କ ୮ଟି ହାତ। ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ। ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ,ଧନୁଷ,ବାଣ,କମଳ-ପୁଷ୍ପ,ଅମୃତପୂର୍ଣ୍ଣ କଳସ,ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ।

ମା କୁଷ୍ମାଣ୍ଡାଙ୍କ ନିବାସ ସୂର୍ଯ୍ୟମଣ୍ଡଳ ଭିତରେ ଅବସ୍ଥିତ। ସୂର୍ଯ୍ୟ ଭିତରେ ବାସ କରିବାର କ୍ଷମତା କେବଳ ତାଙ୍କର ରହିଛି। ମା କୁଷ୍ମାଣ୍ଡାଙ୍କ କିରଣରେ ଚାରି ଆଡ଼ ଦେଦୀପ୍ୟମାନ। ଏଥିପାଇଁ ତାଙ୍କ ଶରୀରର କାନ୍ତି ଏବଂ ପ୍ରଭା ସୂର୍ଯ୍ୟଙ୍କ ପରି ଦେଦୀପ୍ୟମାନ। ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ମଧ୍ୟରେ ତାଙ୍କର କିରଣ ବ୍ୟାପ୍ତ ରହିଛି। ନବରାତ୍ରିରେ ମା କୁଷ୍ମାଣ୍ଡାଙ୍କ ସାଧନା-ଆରାଧନା କରିବା ଦ୍ବାରା ମାଆ ନିଜ ସାଧକଙ୍କ ଅସାଧ୍ୟରୁ ଅସାଧ୍ୟ ରୋଗରୁ ମୁକ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟର ଆଶୀର୍ବାଦ ପ୍ରଦାନ କରନ୍ତି।

ନବରାତ୍ରି​‌ରେ ଚତୁର୍ଥ ଦିନ ସର୍ବପ୍ରଥମ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରନ୍ତୁ। ମାତା କୁଷ୍ମାଣ୍ଡାଙ୍କ ସବୁଜ ରଙ୍ଗ ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଏହି ଦିନ ପୂଜାରେ ବସିବା ପାଇଁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବା ଉଚିତ୍ ହୋଇଥାଏ। ମାଆ କୁଷ୍ମାଣ୍ଡାଙ୍କୁ ଏହି ନିବେଦନ ସହ ଜଳ ପୁଷ୍ପ ଅର୍ପଣ କରି ମାଙ୍କ ଧ୍ୟାନ କରନ୍ତୁ। ଯଦି କେହି ଦୀର୍ଘ ଦିନରୁ ଅସୁସ୍ଥ ଅଛନ୍ତି ତେବେ ମାଆ କୁଷ୍ମାଣ୍ଡାଙ୍କ ବିଧି ବିଧାନ ଦ୍ବାରା କରାଯାଇଥିବା ପୂଜା ସେହି ବ୍ୟକ୍ତିଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିଥାଏ। ଦେବୀଙ୍କୁ ପୂରା ମନରେ ଫୁଲ,ଧୂପ,ଗନ୍ଧ,ଭୋଗ ଚଢ଼ାନ୍ତୁ। ପୂଜା ପରେ ମା କୁଷ୍ମାଣ୍ଡାଙ୍କୁ ମାଲପୁଆ ଭୋଗ ଲଗାନ୍ତୁ। ଏହା ପରେ ପ୍ରସାଦକୁ ଯେକୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତୁ। ପୂଜା ପରେ ନିଜଠୁ ବଡ଼ ବ୍ୟକ୍ତିଙ୍କୁ ପ୍ରଣାମ କରି ପ୍ରସାଦ ବିତରଣ କରନ୍ତୁ ଏବଂ ନିଜେ ମଧ୍ୟ ପ୍ରସାଦ ଗ୍ରହଣ କରନ୍ତୁ।

ମାତାଙ୍କ ମନ୍ତ୍ର:

‘ସୁରାସମ୍ପୂର୍ଣ୍ଣକଳସଂ ରୁଧିରାପ୍ଲୁତମେବ ଚ।

ଦଧାନା ହସ୍ତପଦ୍ମାଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.