୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୪ ହଜାର ୯୮୭ ନୂଆ ମାମଲା : ପାଖାପାଖି ୯୧ ହଜାର ସଂକ୍ରମିତ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭/୦୫ : ଭାରତରେ କରୋନା ଭାଇରସ ସବୁ ରେକର୍ଡ ଭାଙ୍ଗି ଦେଇଛି | ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ୨୪ ଘଣ୍ଟାରେ ୪ ହଜାର ୯୮୭ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ୧୨୦ ଜଣଙ୍କ ମୃତ୍ୟୁ ହୋଇଛି | କରୋନା ମାମଲାରେ ଏହା ଦେଶରେ ଏବେ ସୁଦ୍ଧା ସବୁଠାରୁ ଅଧିକ ସଂଖ୍ୟକ ସଂକ୍ରମଣ ସଂଖ୍ୟା | ମେ ୧୩ ତାରିଖରେ ୪ ହଜାର ୨୦୦ ସଂକ୍ରମିତ ଚିହ୍ନଟ ହୋଇଥିଲେ |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର ସକାଳ ୯ଟା ୧୫ ମିନିଟ ସୁଦ୍ଧା ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ଏବେ ଯାଏଁ ୯୦ ହଜାର ୯୨୭ ଜଣ ସଂକ୍ରମିତ ହୋଇଛନ୍ତି | ସେଥିରୁ ୫୩ ହଜାର ୯୪୬ ଆକ୍ଟିଭ ମାମଲା ରହିଛି | କରୋନା ଯୋଗୁଁ ଏବେ ଯାଏଁ ଦେଶରେ ୨ ହଜାର ୮୭୨ ଜଣ ପ୍ରାଣ ହରାଇଛନ୍ତି | ତେବେ ୩୪ ହଜାର ୧୦୮ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୫୬ ରୋଗୀ ସୁସ୍ଥ ହୋଇଛନ୍ତି | ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୫ ପ୍ରତିଶତ ଅର୍ଥାତ ୩୧ ହଜାର ୮୭୩ ରୋଗୀ ସୁସ୍ଥ ହୋଇଛନ୍ତି |

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂଖ୍ୟକ ସଂକ୍ରମିତ ହୋଇଛନ୍ତି | ମହାରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟ | ଶନିବାର ସନ୍ଧ୍ୟା ସୁଦ୍ଧା ଗୁଜରାଟରେ ୩୪୮ ନୂଆ ମାମଲା ସାମ୍ନାକୁ ଆସିଥିଲା | ମହାରାଷ୍ଟ୍ରରେ ଶନିବାର ଦିନ ୬୭ ଜଣଙ୍କ ମୃତ୍ୟୁ ହୋଇଛି | ମେ ୧୩ ତାରିଖରେ ରାଜ୍ୟରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିଲା | ଶନିବାର ମହାରାଷ୍ଟ୍ରରେ ୧୬୦୬ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା | ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୩୦ ହଜାର ୭୦୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି |

ମଧ୍ୟ ପ୍ରଦେଶରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇଛି | ଶନିବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ହଜାରେ ନୂଆ ମାମଲା ସାମ୍ନାକୁ ଆସିଥିଲା | ଇନ୍ଦୋରରେ ୯୨ ନୂଆ ମାମଲା ସାମ୍ନାକୁ ଆସିଥିଲା | ରାଜ୍ୟରେ ଏବେ ସୁଦ୍ଧା ୪ ହଜାର ୯୨୮ ଜଣ ସଂକ୍ରମିତ ହୋଇଛନ୍ତି |

ଉତ୍ତର ପ୍ରଦେଶରେ ଶନିବାର ଦିନ ୨୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ଉତ୍ତର ପ୍ରଦେଶରେ ୪ ହଜାର ୨୬୪ ଜଣ ସଂକ୍ରମଣର ଶିକାର ହୋଇଛନ୍ତି | ରାଜସ୍ଥାନରେ ଲଗାତାର ଚତୁର୍ଥ ଦିନରେ ୨୦୦ ମାମଲା ସାମ୍ନାକୁ ଆସିଛି | ରାଜସ୍ଥାନରେ ଏବେ ଯାଏଁ ୪ ହଜାର ୯୬୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି | ତାମିଲନାଡୁରେ ଶନିବାର ଦିନ ୪୭୭ ମାମଲା ସାମ୍ନାକୁ ଆସିଥିଲା | ଏବେ ଯାଏଁ ତାମିଲନାଡୁରେ ୯୩୯ ଜଣ ସୁସ୍ଥ ହୋଇଛନ୍ତି | ଜାମ୍ମୁ କାଶ୍ମୀରରେ ଶନିବାର ଦିନ ଗୋଟିଏ ଦିନରେ ସବୁଠାରୁ ଅଧିକ ୧୦୮ ମାମଲା ସାମ୍ନାକୁ ଆସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.