ବିଷ କୋଳି ଖାଇଦେଲେ ୪୯ ଛାତ୍ରଛାତ୍ରୀ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | December 04, 2021 IST

ଭୋପାଳ, ୦୪/୧୨: ମଧ୍ୟପ୍ରଦେଶର ସିୱନୀରେ ବିଷାକ୍ତ ଫଳ ଖାଇ ୪୯ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଏପରି ଘଟଣା ଏକ ସରକାରୀ ପ୍ରାଇମେରୀ ସ୍କୁଲ୍‌ରେ ଘଟିଛି । ଏନେଇ ଆଧିକାରୀକ ସ୍ତରରୁ ଶନିବାର ସୂଚନା ଦିଆଯାଇଛି । ଏହି ସ୍କୁଲ ସିୱନୀ ଜିଲ୍ଲାର ବାରଘାଟ ଅଞ୍ଚଳରେ ଅବସ୍ଥିତ । ଛାତ୍ରଛାତ୍ରୀ ସ୍କୁଲ ଯାଇଥିବା ବେଳେ ସେଠାରେ ବିଷାକ୍ତ ଫଳ ଖାଇଦେଇଥିଲେ । ସ୍ୱାସ୍ଥ୍ୟ ବିଗିଡ଼ିବାରୁ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ସ୍କୁଲ ପାଖରେ ଜଡ଼ାଫଳର ଏକ ଗଛ ରହିଛି । ପିଲାମାନେ ଏହି ଗଛର ଫଳକୁ ତୋଳି ଖାଇଦେଇଥିଲେ । ଯେତେବେଳେ ସେମାନେ ସ୍କୁଲ୍‌ରୁ ଘରକୁ ଫେରିଥିଲେ ସେତେବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହା ପରେ ପରିବାର ଲୋକେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଏନେଇ କହିଛନ୍ତି ଯେ, ବିଷାକ୍ତ ଫଳ ଖାଇବାରୁ ସେମାନଙ୍କର ପେଟ ଯନ୍ତ୍ରଣା ସହିତ ବାନ୍ତି ମଧ୍ୟ ହୋଇଥିଲା ।

ତେବେ ଚିକିତ୍ସା ପରେ ୪୭ ଜଣ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଗୁରୁବାର ମଧ୍ୟ ଉକ୍ତ ଅଞ୍ଚଳରେ ଏକ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ଏହି ଫଳ ଖାଇ ଗୁରୁତର ହୋଇଥିଲେ ବୋଲି ଜଣାପଡ଼ିଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.