ଜାତୀୟ ସାହାସିକତା ପୁରସ୍କାର-୨୦୨୦: ଛୋଟ ପିଲାଙ୍କ ବଡ ବାହାଦୂରୀରେ ପ୍ରଧାନମନ୍ତ୍ରୀ ବି ତାଜ୍ଜୁବ
24/01/2020 at 4:13 PM

ନୂଆଦିଲ୍ଲୀ ୨୪।୧: ସାଧାରଣତନ୍ତ୍ର ଦିବସର ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨୦୨୦ ମସିହା ଲାଗି ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନୀତ ପିଲାଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଲାଙ୍କ ଅପୂର୍ବ ସାହାସିକତାର କଥା ଶୁଣି ଆଶ୍ଚର୍ଯ୍ୟ ହେବା ସହ ସେମାନଙ୍କ ବୀରତ୍ୱର କାହାଣୀ ସୋସିଆଲ ମିଡିଆରେ ସେୟାର କରିବେ ବୋଲି କହିଛନ୍ତି। ଏହା ଦ୍ୱାରା ଅନ୍ୟ ପିଲାମାନେ ମଧ୍ୟ ପ୍ରେରିତ ହେବେ।

ସୂଚନା ଯୋଗ୍ୟଯେ ଜାତୀୟ ବାଲ ପୁରସ୍କାର ସବୁ ବର୍ଷ ସାଧାରଣତନ୍ତ୍ର ଦିବସର ଦିନକ ଅଥବା ୨ ଦିନ ପୂର୍ବରୁ ପ୍ରଦାନ କରାଯାଇଥାଏ। ୧୯୫୭ ମସିହାରେ ଭାରତୀୟ ବାଲ କଲ୍ୟାଣ ପରିଷଦ ଏହି ପୁରସ୍କାର ଆରମ୍ଭ କରିଥିଲେ। ପୁରସ୍କାର ସ୍ୱରୂପ ବୀର ବାଳକଙ୍କୁ ମେଡାଲ, ମାନପତ୍ର ଓ ନଗଦ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ। ଏହା ଛଡା ସମସ୍ତ ପିଲାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥାଏ।

ଚଳିତ ବର୍ଷ ୪୯ ଜଣ ଦୁଃସାହାସୀ ପିଲାଙ୍କୁ ଏହି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜଣକୁ ମରଣୋପରାନ୍ତ ସମ୍ବର୍ଦ୍ଧିତ କରାଯାଇଛି। କେରଳର ବୀର ବାଳକ ମହମ୍ମଦ ମହସୀନ ସମୁଦ୍ରରେ ଫଶି ଯାଇଥିବା ତାଙ୍କର ୩ ବନ୍ଧୁଙ୍କ ପ୍ରାଣ ରକ୍ଷା ଲାଗି ନିଜ ଜୀବନ ବାଜି ଲଗାଇଦେଇଥିଲେ। ସାଙ୍ଗମାନଙ୍କୁ ମରଣ ମୁହଁରୁ ଜୀବିତ ବଞ୍ଚାଇଥିଲେ ହେଁ ନିଜ ପ୍ରାଣ ରକ୍ଷା କରିପାରିନଥିଲେ ମହସୀନ। ସେହିପରି ବେଙ୍ଗାଲୁରର ମୋଟରସ୍ପୋର୍ଟସ୍ ଖେଳାଳି ୟଶ ଆରାଧ୍ୟ ଜାତୀୟ ବାଲପୁରସ୍କାରେ ସମ୍ବର୍ଦ୍ଧିତ ହୋଇଛନ୍ତି। ୧୭ ବର୍ଷ ବୟସ୍କ ୟଶ ୯ ବର୍ଷ ବୟସରୁ ରେସିଂ ଟ୍ରାକ୍ରେ ତାଙ୍କର ଦୁଃସାହାସିକତା ପ୍ରଦର୍ଶନ କରିଆସୁଛନ୍ତି।