ପାକିସ୍ତାନରୁ ସମୁଦ୍ର ରାସ୍ତା ଦେଇ ଆସିଥିବା ୩୧୩ କୋଟି ଟଙ୍କାର ଡ୍ରଗ୍ସ ଓ ହେରୋଇନ ଗୁଜୁରାଟରୁ ଜବତ, ୩ ଗିରଫ

Published By : Prameya-News7 Bureau | November 11, 2021 IST

ଦ୍ଵାରକା ୧୧/୧୧ : ଗୁଜୁରାଟ ପୋଲିସ ପାକିସ୍ତାନରୁ ଆସିଥିବା ୩୧୩ କୋଟି ଟଙ୍କା ମୂଲ୍ୟର ହେରୋଇନ ଓ ଡ୍ରଗ୍ସ ଜବତ କରିଛି। ଏହାସହ ୩ ଜଣଙ୍କୁ ଗିରଫ କରିଛି। ଗୁରୁବାର ଦିନ ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ଦିନ ଚଢ଼ଉ ବେଳେ ଦୁଇ ଜଣଙ୍କ ଠାରୁ ୪୭ଟି ପ୍ୟାକେଟରୁ ୪୫ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି ଯାହାର ମୂଲ୍ୟ ୨୨୫ କୋଟି ଟଙ୍କା।

ଏହା ପୂର୍ବରୁ ମଙ୍ଗଳବାର ଦିନ  ମହାରାଷ୍ଟ୍ରର ଥାନାର ବାସିନ୍ଦା ସଜଜାଦ ଘୋଷିକୁ ସୂଚନାଦାତାଙ୍କ ସୂଚନା ଅନୁଯାୟୀ ଖମ୍ବଲିଆ ସହରର ଏକ ଗେଷ୍ଟ ହାଉସରୁ ଗିରଫ କରାଯାଇଥିଲା। ତାଠାରୁ ୧୧.୪୮୩ କିଲୋଗ୍ରାମ ହେରୋଇନ୍ ଏବଂ ୬.୧୬୮ କିଲୋଗ୍ରାମ ମିଥାମଫେଟାମାଇନ୍ ଡ୍ରଗ୍ସ ୧୯ ଟି ପ୍ୟାକେଟ୍ ଜବତ କରାଯାଇଥିଲା। ଥାନେର ମୁମ୍ବ୍ରା ଅଞ୍ଚଳର ପରିବା ବିକ୍ରେତା ଘୋଷି କିଛି ଦିନ ପୂର୍ବରୁ ଖମ୍ବଲିଆକୁ ଡ୍ରଗ୍ସ ଡେଲିଭରି ନେବା ପାଇଁ ଆସିଥିଲା। ସେ ପୋଲିସକୁ କହିଛି ଯେ ସଲିମ କାରା ଓ ଅଲି କାରା ନାମକ ଦୁଇ ଭାଇଙ୍କ ପାଇଁ ସେ ଡ୍ରଗ୍ସ ନେବାକୁ ଆସିଥିଲା। ଏହାପରେ ପୋଲିସ କାରା ଭାଇ ଘରେ ଚଢ଼ଉ କରିଥିଲା। ଏଠାରୁ ପୋଲିସ ସନ୍ଦିଗ୍ଧ ସାମଗ୍ରୀ ଥିବା ୪୭ ଟି ପ୍ୟାକେଟ ଜବତ କରିଥିଲା। ଏହାର ଯାଞ୍ଚ ହୋଇଛି।

ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ପଚରାଉଚୁରାରୁ ଜଣାପଡିଛି ଯେ ଜବତ ହୋଇଥିବା ଡ୍ରଗ୍ସ ସମୁଦ୍ର ରାସ୍ତା ଦେଇ ପାକିସ୍ତାନରୁ ଗୁଜୁରାଟ ଅଣାଯାଇଥିଲା। ଘୋଷିର ପୁରୁଣା ଅପରାଧିକ ରେକର୍ଡ ମଧ୍ୟ ଅଛି ଓ ସେ ଜେଲରେ ସଜ୍ଜା ବି କାଟିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.