୪୬୪ କୋଟି ଟଙ୍କାର ଜିଏସଟି ଠକେଇ : ୧୧୨ କୋଟି ଟଙ୍କା ଜବତ, ୮୯ ଜଣ ଗିରଫ, ୭୨ଟି ମାମଲା ରୁଜୁ
17/01/2021 at 9:49 PM

ଚଣ୍ଡିଗଡ ୧୭/୦୧ : ଦ୍ରବ୍ୟ ଏବଂ ସେବା କର ଘୋଟାଲାରେ ୪ଟି ବଡ ଗ୍ୟାଙ୍ଗ୍ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ପର୍ଦ୍ଦାଫାସ କରିଛି ହରିୟାଣା ପୋଲିସ । ଏହି ଜାଲି ସଂସ୍ଥାଗୁଡ଼ିକ ପ୍ରାୟ ୪୬୪.୧୨ କୋଟିରୁ ଅଧିକ ଟଙ୍କା ଜିଏସଟି ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି । ଏହି ଜାଲିଆତି ଗ୍ୟାଙ୍କ କେବଳ ହରିୟାଣାରେ ନୁହେଁ ବରଂ ସମଗ୍ର ଦେଶରେ ସକ୍ରିୟ ଥିଲା ।
ଜିଏସଟି ଜାଲ ଚାଲାଣ ଘୋଟାଲାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିସାରିଲାଣି । ଏହା ସହ ହରିୟାଣା କ୍ରାଇମବ୍ରାଞ୍ଚ କୋଟ ୭୨ଟି ମାମଲା ରୁଜୁ କରିବା ସହିତ ୮୯ ଜଣଙ୍କୁ ଗିରଫ କରିସାରିଲାଣି । ଗୋବିନ୍ଦ ଶର୍ମା, ଗୌରବ ସିଙ୍ଗଲା ଏବଂ ଆକାଶ ଆରୋରା ନାମକ ୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ୪୦ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି ।
ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମନୋଜ ଯାଦବ ରବିବାର କହିଛନ୍ତି ଯେ, ଏହି ବ୍ୟକ୍ତିମାନେ ନକଲି ଇ-ୱେ ବିଲ୍ ମାଧ୍ୟମରେ ପ୍ରକୃତ ସାମଗ୍ରୀ ଯୋଗାଣ ନକରି ଅନେକ ସଂସ୍ଥା ଏବଂ କମ୍ପାନୀକୁ ନକଲି ଇନଭଏସ୍ ଜାରି କରିଥିଲେ । ଏହି ମାଧ୍ୟମରେ ଜିଏସଟି ଚାଲାଣ, ଇ-ଓ୍ବେ ବିଲ ଏବଂ ଜାଲ ବ୍ୟାଙ୍କ ନେଣଦେଣ ସାହାଯ୍ୟରେ କୋଟି କୋଟି ଟଙ୍କାର ଠକେଇ କରାଯାଇଥିଲା । ଯାଞ୍ଚ ବେଳେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଠକେଇ ମାମଲା ରହିଛି ।