୪୬ଟି ବ୍ଲକରେ ୧୦୦ମି.ମି ବର୍ଷା ରେକର୍ଡ : ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | September 06, 2018 IST

ଭୁବନେଶ୍ବର ୬|୯: ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪୬ଟି ବ୍ଲକରେ ୧୦୦ମି.ମି ବର୍ଷା ରେକର୍ଡ କରାଯାଇଛି । ପାରାଦୀପର ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି । ଜଳବନ୍ଦୀ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି । ମହାନଦୀ, ବାହ୍ମଣୀ ଓ ବୈତରଣୀ ନଦୀ ଉପରେ ନଜର ରଖାଯାଇଛି । ଓଡ୍ରାଫ ଓ ଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି। ସେପଟେ ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୩ଟି ଓ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୪.୩୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫ ହଜାର ୬୯୪ ଘନଫୁଟ ଜଳ । ନିଷ୍କାସିତ ହେଉଛି ୯୪ ହଜାର ୬୫୧ ଘନଫୁଟ ଜଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇଛି । ଆଜି ସନ୍ଧ୍ୟାଠାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି ସନ୍ଧ୍ୟା ଯାଏଁ ଲଘୁଚାପର ପ୍ରଭାବ ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.