ଶିଶୁଙ୍କ ପାଇଁ ବିପଦ କୋଭିଡ୍‌ ଭାରିଏଣ୍ଟ B1617, ଚେତାବନୀ ସହ ସିଙ୍ଗାପୁରରେ ସବୁ ସ୍କୁଲ ବନ୍ଦ

Published By : Prameya-News7 Bureau | May 17, 2021 IST

ସିଙ୍ଗାପୁର ୧୭/୫: ସିଙ୍ଗାପୁରରେ କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ସରକାର ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରିଛନ୍ତି। ପ୍ରଥମେ ଭାରତରେ ମିଳିଥିବା କରୋନା ଭାଇରସ୍‌ ଭାରିଏଣ୍ଟ ଶିଶୁଙ୍କ ଉପରେ କୂପ୍ରଭାବ ପକାଇବ ବୋଲି ସିଙ୍ଗାପୁର ସରକାର ପୂର୍ବରୁ ଚେତାବନୀ ଦେଇଥିଲେ। ତେଣୁ ସରକାର ସ୍କୁଲ ବନ୍ଦ କରିବାକୁ ଘୋଷଣା କରିବା ସହ ଯୁବପୀଢ଼ିଙ୍କୁ ଶୀଘ୍ର ଟିକା ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

ସରକାର ସମସ୍ତ ପ୍ରାଇମେରି, ଜୁନିୟର ଏବଂ ସେକେଣ୍ଡାରି ସ୍କୁଲକୁ ୨୮ ମେ’ ଯାଏଁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ହୋମ ବେସଡ୍‌ ଲର୍ଣ୍ଣିଂ ପାଇଁ କହିଛନ୍ତି। ଭାଇରସ୍‌ର ନୂଆ ଭାରିଏଣ୍ଟ ଦେଶରେ ମାଡ଼ିଚାଲିଥିବା ବେଳେ ଏହା ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇପାରେ ବୋଲି କହିଛନ୍ତି ସିଙ୍ଗାପୁର ଶିକ୍ଷାମନ୍ତ୍ରୀ ଚାନ ଚୁନ ସିଂଗ। କିନ୍ତୁ ସ୍କୁଲରୁ ଏମିତି ମାମଲା ମିଳିନଥିବା ବେଳେ କୌଣସି ଛାତ୍ରଛାତ୍ରୀ ଅସୁସ୍ଥ ହୋଇନାହାନ୍ତି ବୋଲି ସେ କହିଛନ୍ତି।

ସରକାରଙ୍କ ଅନୁସାରେ ରବିବାର ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପ୍ଟେମ୍ବର ପରେ ପ୍ରଥମ ଥର ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ପିଲା ଏଥିରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏଥିପାଇଁ ଟ୍ୟୁସନ ସେଣ୍ଟର ଦାୟୀ ବୋଲି ସିଙ୍ଗାପୁର ସରକାର କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୋଙ୍ଗଙ୍କ ଅନୁସାରେ B1617 ଭାରିଏଣ୍ଟ ପିଲାମାନଙ୍କୁ ଆକ୍ରାନ୍ତ କରୁଛି। ଏହି ଭାରିଏଣ୍ଟ ସମ୍ପର୍କରେ କେତେ ପିଲା ସଂସ୍ପର୍ଶରେ ଆସିଛନ୍ତି ସେନେଇ ସ୍ପଷ୍ଟ ହୋଇପାରି ନାହିଁ ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ସିଙ୍ଗାପୁରରେ ୬୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.