ଜିଲ୍ଲାପାଳଙ୍କ ଅଧୀନକୁ ଗଲା ୪୫ ରୁପା ଇଟା, ବ୍ୟାଙ୍କରେ ନରଖି ମଠ ଭିତରେ କାହିଁକି ପୋତିଥିଲେ ? ଉତ୍ତର ଦେଇ ପାରିଲେନି ମଠ ମହନ୍ତ

Published By : Prameya-News7 Bureau | April 11, 2021 IST

ପୁରୀ ୧୧।୦୪: ଏମାର ମଠରୁ ମିଳିଥିବା ୪୫ ରୁପା ଇଟା ପୁରୀ ଜିଲ୍ଲାପାଳଙ୍କ ଅଧୀନକୁ ଗଲା। ଏଣିକି ମଠର ଦାୟିତ୍ଵ ବୁଝିବ ନୂଆ ଟ୍ରଷ୍ଟ ବୋର୍ଡ। ଜିଲ୍ଲାପାଳ ଓ ଦେବୋତ୍ତର କମିସନରଙ୍କ ସହ ସମନ୍ବୟ ରକ୍ଷାକରି ମଠ ପରିଚାଳନା କରିବ ଟ୍ରଷ୍ଟ ବୋର୍ଡ । ଏମାର ମଠ ମହନ୍ତ ରାଜଗୋପାଲ ରାମାନୁଜ ଦାସଙ୍କ ପାଖରେ ଆର୍ଥିକ ପରିଚାଳନା କ୍ଷମତା ରହିବନି । ବାର୍ଷିକ ଆୟ ବ୍ୟୟ ହିସାବରେ ସେ ହସ୍ତକ୍ଷେପ କରିବେନି।  

ଟ୍ରଷ୍ଟ ବୋର୍ଡକୁ ଦାୟିତ୍ବ ହସ୍ତାନ୍ତର ନେଇ ଅମଙ୍ଗ ଥିଲେ ଏମାର ମଠ ମହନ୍ତ । ଏମାର ପରିଚାଳନାରେ ଟ୍ରଷ୍ଟ ବୋର୍ଡର ପ୍ରବେଶକୁ ସେ ସହଜରେ ଗ୍ରହଣ କରି ପାରିନାହାଁନ୍ତି । ତେବେ ଏତେ ପରିମାଣର ରୂପା ଇଟା ବ୍ୟାଙ୍କରେ ନରଖି ମଠ ଭିତରେ କାହିଁକି ପୋତିଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି ରାଜଗୋପାଲ ରାମାନୁଜ ଦାସ ।

ଏମାର ମଠର ଗୁମର ଖୋଲି ଖୋଲି ଚାଲିଛି । ପୁଣି ୪୫ ଇଟା ବାହାରିବା ପରେ ମଠରୁ ଆହୁରି ଯେ କିଛି ରହସ୍ୟ ଉଦଘାଟନ ନହେବ ତାହା କହିହେବନି ।  ଏଯାଏଁ ମିଳିଥିବା ୫୬୭ଟି ରୂପା ଇଟା ଯାହା ଜିଲ୍ଲା ପ୍ରଶାସନ ହେପାଜତରେ ରହିଛି, ତାକୁ ଶ୍ରୀମନ୍ଦିର ନିର୍ମାଣ କାମରେ ଲଗାଇବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ । ଏମାର ମଠ ଭିତରେ ବହୁ ରହସ୍ୟ ଛପିଥିବା ଅନୁମାନ କରାଯାଉଛି । ଏବେ ଟ୍ରଷ୍ଟ ବୋର୍ଡ ଦାୟିତ୍ଵ ନେବା ପରେ କିଭଳି ମଠ ପରିଚାଳନା ହେବ ତାହା ଉପରେ ରହିଛି ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.