ଦେଶରେ ପ୍ରତି ମିନିଟରେ ସାମ୍ନାକୁ ଆସୁଛି ୪୫ ପଜିଟିଭ ମାମଲା, ପ୍ରତି ଘଣ୍ଟାରେ ୪୬ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯/୦୮ : କରୋନା ସାରା ଦୁନିଆକୁ କବଳିତ କରିଛି | ଭାରତରେ ମଧ୍ୟ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଦେଶରେ ଗୋଟିଏ ଦିନରେ ୬୪ ହଜାର ୫୩୧ ନୂଆ ମାମଲା ସାମ୍ନାକୁ ଆସିଛି | ଏହାସହ ୧୦୯୨ ରୋଗୀଙ୍କ ମୃତ୍ୟୁ ହୋଇଛି | ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁଯାୟୀ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ ରେ ପହଞ୍ଚିଛି | ସେଥିରୁ ୬ ଲକ୍ଷ ୭୬ ହଜାର ୫୧୪ ଆକ୍ଟିଭ ମାମଲା ରହିଛି | ଏବେ ସୁଦ୍ଧା ୨୦ ଲକ୍ଷ ୩୭ ହଜାର ୮୭୧ ରୋଗୀ ସୁସ୍ଥ ହୋଇଛନ୍ତି | ଦେଶରେ ୫୨ ହଜାର ୮୮୯ ଜଣ ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି |

ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ତାଲିକା ଉପରେ ଯଦି ଦୃଷ୍ଟି ଦିଆଯାଏ ତାହେଲେ ଦେଶରେ ପ୍ରତି ମିନିଟରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି | ଏହାସହ ପ୍ରତି ଘଣ୍ଟାରେ ପାଖାପାଖି ୪୬ ଜଣଙ୍କ ମୃତ୍ୟୁ ହୋଇଛି |

କରୋନା ମହାମାରୀ ଭ୍ୟାକସିନ ପାଇଁ ସାରା ଦୁନିଆ ଚେଷ୍ଟା କରୁଛି | ଦେଶରେ ୩ଟି ଭ୍ୟାକସିନ ଉପରେ କାମ ଚାଲିଛି | ସେଥିରୁ ଗୋଟିଏ ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶୀଘ୍ର ଆରମ୍ଭ ହେବ | ନୀତି ଆୟୋଗ ସଦସ୍ୟ ଡ.ବି.କେ.ପାଲ ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ଡ.ପାଲ କହିଛନ୍ତି ଯେ ଦେଶରେ ୩ଟି କରୋନା ଭ୍ୟାକସିନ ଉପରେ କାମ ଚାଲିଛି | ବୁଧବାର ଦିନ ଗୋଟିଏ ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ | ସେ ଏହାର ନାଁ ଉଜାଗର କରିନାହାନ୍ତି | ଭ୍ୟାକସିନର ସପ୍ଲାଏ ଚେନ ମଧ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି | ତେବେ ଭ୍ୟାକସିନ କେବେ ସୁଦ୍ଧା ପ୍ରସ୍ତୁତ ହେବ ତାହା ସେ କହିନାହାନ୍ତି | ଭ୍ୟାକସିନର ସଫଳତାକୁ ନେଇ କୌଣସି ନିଶ୍ଚିତ ଦାବି ମଧ୍ୟ କରାଯାଇନାହିଁ | ସରକାର ଲଗାତାର ଭ୍ୟାକସିନ ନିର୍ମାତା କମ୍ପାନୀଗୁଡିକ ସହ ସମ୍ପର୍କ କରୁଛନ୍ତି ଏବଂ ସବୁ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.