ଚୀନ୍‌କୁ ଭାରତ ଦେଲା ଆଉ ଏକ ଝଟ୍‌କା, ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଟେଣ୍ଡର ହେଲା ରଦ୍ଦ

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୮: ଚୀନ୍ ସାମଗ୍ରୀକୁ ବ୍ୟାନ୍ କରିବା ପାଇଁ ଦେଶର ଆହ୍ବାନକୁ ସମର୍ଥନ ଜଣାଇ ଭାରତୀୟ ରେଳ ପକ୍ଷରୁ ଚୀନ୍ କୁ ଏକ ବଡ ଝଟକା ଲାଗିଛି । ଭାରତୀୟ ରେଳ ଟ୍ରେନ୍ ୧୮ର ୪୪ଟି ଟ୍ରେନ୍ ପ୍ରସ୍ତୁତ କରିବାର ଟେଣ୍ଡର ରଦ୍ଦ କରିଦେଇଛି । ଭାରତୀୟ ରେଳ ବିଭାଗ ଅନୁଯାୟୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଏହି ଟେଣ୍ଡର ରହିଥିଲା । ଏହାପରେ ସପ୍ତାହକ ମଧ୍ୟରେ ନୂଆ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ ।

ଏହି ଟେଣ୍ଡରରେ ଚୀନ୍ ର ମିଳିତ ଉଦ୍ୟୋଗ କମ୍ପାନୀ CRRC ପାୟନିଅର୍ ଇଲେକ୍ଟ୍ରିକ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଏକମାତ୍ର ବିଦେଶୀ ବିଡର ଭାବରେ ଉଭା ହୋଇଥିଲା । ଯିଏ ସେମି ହାଇ ସ୍ପିଡ୍ ଟ୍ରେନ୍ ଉତ୍ପାଦନରେ ଆଗ୍ରହ ପ୍ରକାଶ କରିଥିଲା ​​। ଏହାପରେ ଭାରତୀୟ ରେଲଓ୍ବେ ଚୀନ୍ ର ବିଡରକୁ ଖାରଜ କରି ଏକ ନୂଆ ଟେଣ୍ଡର ପାଇଁ ବିଜ୍ଞପ୍ତି ଜାରି କରିବାର ନିଷ୍ପତ୍ତି ନେଇଛି ।

ଏକ ନିର୍ଦ୍ଦେଶନାମା ଜାରି କରି ଭାରତୀୟ ରେଲଓ୍ବେ କହିଛି ଯେ, ସେମି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ‘ବନ୍ଦେ ଭାରତ’ର ୪୪ଟି ଟ୍ରେନର ନିର୍ମାଣ ପାଇଁ ଟେଣ୍ଡର ରଦ୍ଦ କରିଦିଆଯାଇଛି ।

ରେଲଓ୍ବେ ମନ୍ତ୍ରଣାଳୟ ଅନୁସାରେ, ୫ ଘରୋଇ ବିଡର କମ୍ପାନୀ ମଧ୍ୟରେ ରାଜ୍ୟ ମାଲିକାନା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍, ଭାରତ ଇଣ୍ଡଷ୍ଟ୍ରିଜ୍, ସଂଙ୍ଗରୁର, ଇଲେକ୍ଟ୍ରୋଓ୍ବେଭ୍ସ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ମେଧା ସର୍ଭୋ ଡ୍ରାଇଭ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପାଓ୍ବାରନେଟିକ୍ସ ଇକ୍ବିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସାମିଲ ରହିଛି ।

ସୂଚନାଯୋଗ୍ୟ ଯେ, ଟ୍ରେନ୍ ୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ନାମିତ କରାଯାଇଥିଲା । ଅକ୍ଟୋବର ୨୦୧୮ରେ ଯେତେବେଳେ ଭାରତୀୟ ରେଳ ଘୋଷଣା କଲା ଯେ ମେକ୍ ଇନ୍ ଇଣ୍ଡିଆର ଅବଧାରଣାକୁ ଆହୁରି ଆଗକୁ ବଢାଇବା ସହ ଏହା ୮୦ ପ୍ରତିଶତରୁ ଅଧିକ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ସେତେବେଳେ ଏହା ଚର୍ଚ୍ଚାରେ ଥିଲା ।

ଭାରତୀୟ ସେନା ଏବଂ ଚୀନ୍‌ର ପିଏଲଏ ମଧ୍ୟରେ ଏଲଏସିରେ ବିବାଦ ଉପୁଜିବା ପରେ ଭାରତ ଚୀନ୍‌ କୁ ଝଟକା ଦେବା ଆରମ୍ଭ କରିଥିଲା । ଏଥିପାଇଁ କେନ୍ଦ୍ର ସରକାର ୫୯ଟି ଚୀନ୍ ଆପ୍ ଉପରେ ରୋକ୍ ଲଗାଇଥିଲେ ଯାହା ଫଳରେ କମ୍ୟୁନିଷ୍ଟ ଦେଶର ବ୍ୟବସାୟିକ ସମ୍ଭାବନାକୁ ଝଟକା ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.