ଭାରତୀୟ ସେନାକୁ ଡରିଲେଣି ଆତଙ୍କବାଦୀ, ପିଓକେ ଲଞ୍ଚପ୍ୟାଡରେ ଅଛନ୍ତି ଆଉ ମାତ୍ର ୪୩ ଆତଙ୍କୀ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ,୦୪/୦୪: ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ଯବାନ ଆତଙ୍କବାଦୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏହାସହ କୂଟନୈତିକ ଚାପରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ମନୋବଳ ମଧ୍ୟ ଭାଙ୍ଗିଛି । ଏହି କାରଣରୁ ଏଲଓସିରେ ଥିବା ଲଞ୍ଚ୍ ପ୍ୟାଡରେ ଥିବା ଆତଙ୍କବାଦୀଙ୍କ ମନରେ ଛନକା ପସିଛି ।

ରିପୋର୍ଟ ଅନୁସାରେ,  ଲଞ୍ଚପ୍ୟାଡକୁ କୌଣସି ଆତଙ୍କବାଦୀ ଆସିବାକୁ ଚାହୁଁନାହାଁନ୍ତି । ଆତଙ୍କବାଦୀଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ଜାନୁଆରୀ-ଫେବ୍ରୁଆରୀ ମାସରେ ଲଞ୍ଚପ୍ୟାଡରେ ଆତଙ୍କୀ ଗତିବିଧି କମିଛି । ଏବେ କେବଳ ୪୩ ଜଣ ଆତଙ୍କବାଦୀ ସୀମା ଆରପଟେ ରହିଛନ୍ତି ।

ଜାନୁଆରୀ-ଫେବ୍ରୁଆରୀରେ ଏଲଓସି ଆରପଟେ ଆତଙ୍କବାଦୀଙ୍କ ସଂଖ୍ୟା ୧୦୮ ଥିଲା । ଭାରତୀୟ ଗୁଇନ୍ଦା ବିଭାଗ ଏଲଓସି ଉପରେ ନିରନ୍ତର ନଜର ରଖିଛି । ଏବେ କିନ୍ତୁ ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଯିବା ପାଇଁ ଭୟ କରୁଛନ୍ତି । ଏବେ ଜମ୍ମୁ ବର୍ଡରରେ ୨୮ ଓ କାଶ୍ମୀର ଘାଟିରେ ସକ୍ରିୟ ଲଞ୍ଚପ୍ୟାଡରେ ୧୫ ଜଣ ଆତଙ୍କବାଦୀ ଅଛନ୍ତି । କେରନ ସେକ୍ଟରରେ ଥିବା ପିଓକେର ଦୁଧନିଆଲରେ ଅଲ ବଦରର ମାତ୍ର ୧୦ ଜଣ ଆତଙ୍କବାଦୀ ରହିଛନ୍ତି । ଲୁମ୍ବ୍ରିଆନ୍ ଲଞ୍ଚପ୍ୟାଡରେ ଯେଉଁ ଆତଙ୍କବାଦୀ ଏକତ୍ର ହୋଇଥିଲେ ସେମାନେ ଭୟର ରହିଛନ୍ତି । ମଣ୍ଡାକୁଲୀରେ ମାତ୍ର ୫ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ଡିସେମ୍ବର ପୂର୍ବରୁ ଏହି ସବୁ ସ୍ଥାନରେ ୨୨୫ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିଲେ ।  ଏହାସହ ଏବେବି ଏଲଓସି ଆରପାଖରେ ୧୦ଟି ଲଞ୍ଚପ୍ୟାଡ୍ ସକ୍ରିୟ ରହିଛି ।

ଗୁଇନ୍ଦା ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ପାକ୍ ସେନା ଓ ଆଇଏସଆଇ ଭାରତର ଅପରେସନକୁ ନେଇ ଭୟଭୀତ ରହିଛନ୍ତି । ଆହୁରି ମଧ୍ୟ ଭାରତର କୂଟନୈତିକ ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.