ଭୁବନେଶ୍ଵର ୨୪।୦୪: କରୋନା ଭାଇରସ୍ ଏବେ ସାରା ବିଶ୍ଵରେ ମହାମାରୀ ରୂପ ନେଇଛି। ତାର ପ୍ରକୋପ ଥମିବାର ନେଉନାହିଁ। ଭାରତରେ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। କରୋନାର ପ୍ରଭାବ କେବଳ ସ୍ଵାସ୍ଥ୍ୟ ସେବା ଉପରେ ପଡିନାହିଁ ତା ନୁହଁ ଅର୍ଥନୀତିଠୁ ନେଇ ପର୍ଯ୍ୟଟନ, କ୍ରୀଡା, ରାଜନୀତି, ମନୋରଞ୍ଜନ କ୍ଷେତ୍ର ମଧ୍ୟ ଏହି ମାରାତ୍ମକ ଭାଇରସରେ ଗୁରୁତର ପ୍ରଭାବିତ ହୋଇଛି। କ୍ରୀଡାଠୁ ନେଇ ଧାର୍ମିକ ସମସ୍ତ ପ୍ରକାରର ଆୟୋଜନକୁ ବନ୍ଦ କରିବାକୁ ପଡିଛି। ଏବେ ମାରାତ୍ମକ କରୋନାର କଳା ବାଦଲ ପୁରୀର ବିଶ୍ଵ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ଉପରେ ଭାସୁଛି। କରୋନା କାରଣରୁ ରଥ ଯାତ୍ରା ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି। ଯଦି କରୋନା ଉପରେ ବ୍ରେକ୍ ନଲାଗେ ତେବେ ମହାପ୍ରଭୁଙ୍କ ଏହି ଅଲୌକିକ ଲୀଳା ଗୁଣ୍ଡିଚା ଯାତ ଆୟୋଜନ ଅନିଶ୍ଚିତତାରେ ପଡି ଯାଇପାରେ।
{"id":259070,"sizeSlug":"large"}ଆସନ୍ତା ଏପ୍ରିଲ ୨୬ରେ ପଡୁଛି ଅକ୍ଷୟ ତୃତୀୟା । ଏହି ଦିନ ମୁଠି ଅନୁକୂଳ ହେବା ସହ ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ମଧ୍ୟ ହେବ। ଏହା ପରେ ତିନୋଟି ରଥର ନିର୍ମାଣ କାମ ସହ ମହାବାହୁଙ୍କ ୨୧ ଦିନିଆ ଚାପ ଖେଳ ମଧ୍ୟ ଆରମ୍ଭ ହେଲେ। ହେଲେ ଏଥର ଚାପ ଖେଳ ବିନା ଭକ୍ତରେ ଅନୁଷ୍ଠିତ ହେବ। କିନ୍ତୁ ଚଳିତ ବର୍ଷ କଣ ଭକ୍ତଙ୍କ ବିନା ଘୋଷ ଯାତ୍ରା ଅନୁଷ୍ଠିତ ହେବ ? ଏହି ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି। ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା କରୋନା କାରଣରୁ ଚଳିତ ବର୍ଷ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ଯାତ୍ରା ତଥା ରଥଯାତ୍ରା ଆୟୋଜନ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଯଦି ଚଳିତ ବର୍ଷ ରଥ ଯାତ୍ରା ନହୁଏ ତେବେ ଏମିତି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରଥମ ଥର ଘଟିବ ନାହିଁ। ଯଦି ପୁରୀ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାର ୪୨୫ ବର୍ଷ ଇତିହାସ ପୃଷ୍ଠା ଓଲଟାଯାଏ ତେବେ ଜଣା ଯାଏ ଯେ ମହାପ୍ରଭୁଙ୍କ ରଥ ଯାତ୍ରା ୩୨ ବର୍ଷ ଅନୁଷ୍ଠିତ ହୋଇ ନାହିଁ। ଡକ୍ତର ଭାସ୍କର ମିଶ୍ରଙ୍କ ଦ୍ଵାରା ସଂଗୃହୀତ ଏହି ଐତିହାସିକ ତଥ୍ୟରୁ ଏହା ଜାଣିବାକୁ ମିଳିଛି। ଏହାକୁ ନେଇ ସେ ଖବରକାଗଜରେ ସ୍ତମ୍ଭ ମଧ୍ୟ ଲେଖିଛନ୍ତି।
{"id":259071,"sizeSlug":"large"}ସଂଗ୍ରାହକ ଭାସ୍କର ମିଶ୍ରଙ୍କ ଦ୍ଵାରା ଲିଖିତ ସ୍ତମ୍ଭ ଅନୁଯାୟୀ ଓଡିଶାର ମଉଡମଣି ତଥା ଓଡିଶା ଜାତିଙ୍କ ପ୍ରାଣବିନ୍ଦୁ ଶ୍ରୀଜଗନ୍ନାଥ ଓ ତାଙ୍କର ନିତ୍ୟ ଅଧିଷ୍ଠାନ ଶ୍ରୀମନ୍ଦିର ଉପରେ ବିଗତ ୪୫୨ ବର୍ଷର ଇତିହାସରେ ଯବନ ସେନାପତି ଓ ବିଧର୍ମୀମାନଙ୍କ ଘର ଘନ ଆକ୍ରମଣ ଫଳରେ ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହମାନଙ୍କୁ ଜଳପଥରେ ଓଡିଶାର କେତେକ ସ୍ଥାନକୁ ଅନେକ ଥର ସ୍ଥାନାନ୍ତରିତ କରାଯାଇଛି। ୧୫୬୮ ମସିହାରୁ ୧୭୩୫ ମସିହା ମଧ୍ୟରେ କଳାପାହାଡ, କଲ୍ୟାଣମଲ୍ଲ, ଅହମ୍ମଦ ବେଗ, ହାସିମତ ଖାଁ, ମିର୍ଜା ଖୁରୁସ, ଏକରାମ ଖାଁ, ମହମ୍ମଦ ତକି ଖାଁ, କେଶୋ ଦାସମାରୁ ପ୍ରଭୁତି ଯବନ ସେନାପତି, ସୁବେଦାରମାନଙ୍କ ଦ୍ଵାରା ଶ୍ରୀମନ୍ଦିର ଉପରେ ପ୍ରବଳ ଆକ୍ରମଣ ହୋଇଛି। ଯାହା ଫଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଡକୋକଲ, କପିଳେଶ୍ଵରପୁର, କାଙ୍କଣଶିଖର କୁଦ, ନଈରୀର ହରୀହରେଶ୍ଵର ମଣ୍ଡପ, ମାରଦା, ଚିକିଲି, ଖୋର୍ଦ୍ଧାଗଡର ଗୋପାଳ ମନ୍ଦିର, ଚିଲିକାର ମହିଷାନାସି, ଛାରୁବାଇଗଡ, ବାଣପୁରର ଗବପଦର, ବଡ଼ ହନ୍ତୁଆଡ଼, ଅନ୍ଧାରିମହିମ, ଖୋର୍ଦ୍ଧାର ଗଡ଼ମାଣିତିରି ଇତ୍ୟାଦି ଅଞ୍ଚଳରେ ଅତ୍ୟନ୍ତ ଗୋପନୀୟ ଭାବେ ଅଧିଷ୍ଠିତ କରାଯାଇ ସେବାପୂଜା କରାଯାଉଥିଲା। ହେଲେ ଚତୁର୍ଦ୍ଧାମୂରତିଙ୍କ ସୁରକ୍ଷା କାରଣରୁ ୩୨ ବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ଗୁଣ୍ଡିଚା ରଥ ଯାତ୍ରା ପାଳନ କରାଯାଇ ନଥିଲା। ତେଣୁ ଏଥର ଯଦି କରୋନା ଭାଇରସ୍ ମହାମାରୀ କାରଣରୁ ରଥ ଯାତ୍ରା ଅନୁଷ୍ଠିତ ନହୁଏ ତେବେ ଏଥିରେ ବିସ୍ମିତ ହେବାର କୌଣସି କାରଣ ନାହିଁ।
{"id":259067,"sizeSlug":"large"}କେଉଁ କେଉଁ ମସିହାରେ ହୋଇ ନାହିଁ ରଥ ଯାତ୍ରା
ଶ୍ରୀମନ୍ଦିର ଉପରେ ବିଗତ ୪୫୨ ବର୍ଷର ଇତିହାସରେ ଯବନ ସେନାପତି ଓ ବିଧର୍ମୀମାନଙ୍କ ଘର ଘନ ଆକ୍ରମଣ କାରଣରୁ ୧୫୬୮, ୧୬୦୧, ୧୬୦୭, ୧୬୧୧, ୧୬୧୭, ୧୬୨୧, ୧୬୯୨, ୧୬୯୨ରୁ ୧୭୦୭ ଏହି ୧୫ ବର୍ଷ ମଧ୍ୟରୁ ୧୩ ବର୍ଷ ଧରି ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇ ନାହିଁ। ସେହି ପରି ୧୭୩୧, ୧୭୩୩, ୧୭୩୪ ଓ ୧୭୩୫ ମସିହାରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥ ଯାତ୍ରା ଅନୁଷ୍ଠିତ ହୋଇ ନାହିଁ।