ବନ୍ଧାହେଲେ ୪୨୦ ବିୟୁଟି କ୍ବିନ୍ : ଫେକ୍ ଆକାଉଣ୍ଟରେ ଅଶ୍ଳୀଳ ଚାଟିଂ, ଧନୀ ଯୁବକଙ୍କୁ ଫସାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | September 11, 2021 IST

ଭୁବନେଶ୍ବର ୧୧।୯: ଧରାପଡିଲା ୪୨୦ ବିୟୁଟି କ୍ବିନ୍ ଙ୍କ କାରନାମା । କେତେବେଳେ ଡାକ୍ତର, ତ ପୁଣି କେତେବେଳେ ବ୍ୟୁଟିସିଆନ୍‌ । ଏମିତି କିଛି ନକଲି ପ୍ରଫେସନ ଉଲ୍ଲେଖ ଥିବା ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ପ୍ରଥମେ ଧନୀ ଘରର ଯୁବକଙ୍କ ସହ କରୁଥିଲେ ଚାଟିଂ । ତାପରେ ବଢାଉଥିଲେ ସମ୍ପର୍କ । ଆଉ ତାପରେ ନାନା ଆଳ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏମିତି ଜଣେ ଠକ ରାଣୀ ବା ମିସ୍‌ ୪୨୦ଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ ।

ଗିରଫ ମିସ୍‌ ୪୨୦ ବିୟୁଟି କ୍ବିନ୍ ଜଣଙ୍କ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନାଚୁଣିରେ । ପ୍ରିୟଙ୍କା ଜଣେ କି ଦୁଇ ଜଣ ନୁହେଁ ଅନେକ ଯୁବକଙ୍କୁ ନିଜ ଫାଶରେ ପକାଇ ଠକିଛନ୍ତି । ପୋଲିସ ତାଙ୍କ ବିରୋଧରେ କେସ୍ ନମ୍ବର ୩୭୦/୨୧ରେ ଏକ ମାମଲା ରୁଜୁ କରି ଆଇପିସି ଦଫା ୪୧୯ (ଛଦ୍ମବେଶରେ କୃତ ପ୍ରବଞ୍ଚନା), ୪୨୦(ସମ୍ପତ୍ତି ସମର୍ପଣ ପାଇଁ ପ୍ରବଞ୍ଚନା ଓ ଅସାଧୁ ପ୍ରବଞ୍ଚନା) ଲଗାଇ କୋର୍ଟ ଚାଲଣ କରିଛି । 

ପୋଲିସର କହିବା ଅନୁସାରେ ୟୁନିଟ୍‌-୧ ଅଞ୍ଚଳର ଶକ୍ତି ସ୍ବରୂପ ମହାପାତ୍ର ଗତ ଜୁନ୍‌ ୭ରେ ଥାନାରେ ପ୍ରିୟଙ୍କାଙ୍କ ନାଁରେ ଅଭିଯୋଗ କରିଥିଲେ । ପ୍ରିୟଙ୍କା ତାଙ୍କୁ ଏକ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୬ ଲକ୍ଷ ୬୫ ହଜାର ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ପୋଲିସକୁ ସେ ପ୍ରିୟଙ୍କାଙ୍କ ଫେକ୍‌ ଫେସ୍‌ବୁକ୍‌ ଆଇଡି ଦେଖାଇବା ସହ ତାଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ଦେଇଥିଲେ । ଶକ୍ତିଙ୍କ ଅଭିଯୋଗର ପ୍ରାୟ ସପ୍ତାହେ ମଧ୍ୟରେ ଅନ୍ୟ ୨ ଠକେଇ ଅଭିଯୋଗ ସହିଦନଗର ଥାନାରେ ହୋଇଥିଲା । ଯେଉଁଥିରେ କି ପ୍ରିୟଙ୍କା ସମାନ ଢ଼ଙ୍ଗରେ ୨ ଛାତ୍ରଙ୍କୁ ଠକିଥିଲେ ।

ପୋଲିସ ପାଖରେ ମୋଟ୍ ୧୩ ଲକ୍ଷ ଟଙ୍କା ଠକେଇର ଅଭିଯୋଗ ହେବା ପରେ ପ୍ରିୟଙ୍କାକୁ ଧରିବାକୁ ଜାଲ ବିଛା ଯାଇଥିଲା । ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କ ନିର୍ଦ୍ଦେଶରେ ଥାନାର ଜଣେ ସବ୍‌ ଇନ୍ସପେକ୍ଟର ନିଜ ପରିଚୟ ଲୁଚାଇ ପ୍ରିୟଙ୍କାଙ୍କ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଲେ । ପ୍ରିୟଙ୍କା ଚିରାଚରିତ ଶୈଳୀରେ ତାଙ୍କୁ ଫସେଇବାକୁ ଚେଷ୍ଟା କରିଥିଲେ । ପ୍ରିୟଙ୍କାକୁ ଶୁକ୍ରବାର ଗିରଫ କରାଯାଇଥିଲା ।

ପ୍ରିୟଙ୍କା ୬ ବର୍ଷ ତଳୁ ଘର ଛାଡ଼ି ଭୁବନେଶ୍ବରକୁ ଚାଲି ଆସିଥିଲେ । ଏଠାରେ ଏକ ଘରୋଇ ସଂସ୍ଥାରେ ମୋଟା ଅଙ୍କର ଦରମା ପାଉଛନ୍ତି ବୋଲି ପରିବାର ଲୋକଙ୍କୁ କହୁଥିଲେ । ପୂର୍ବରୁ ସେ ଭଡ଼ା ଘରେ ରହୁଥିଲେ । ଠକେଇ ଟଙ୍କାରେ ପ୍ରିୟଙ୍କା ଢ଼େର୍‌ ଅଏସ୍‌ କରୁଥିଲେ । ଗତ ୨ ବର୍ଷ ଧରି ରାଜଧାନୀର ଏକ ‘ଓୟୋ’ ହୋଟେଲରେ ରହୁଥିଲେ । ମାସିକିଆ ହିସାବରେ ଓୟୋ ରୁମ୍‌କୁ ଭଡ଼ାସୂତ୍ରରେ ନେଇଥିଲେ । ତାଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚରୁ ପୋଲିସ ଜାଣିବାକୁ ପାଇଛି, ସେ ପାଖାପାଖି ୧୫୦ରୁ ଅଧିକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଛନ୍ତି । ଏଥିରେ ପ୍ରାୟ ଦେଢ଼ ହଜାର ଯୁବକ, ବିବାହିତ ବ୍ୟକ୍ତିଙ୍କ ସହ ଗପିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.