ଦେଶର ୪୨% କିଶୋରୀଙ୍କୁ ଘଣ୍ଟାଏରୁ କମ୍‌ ସମୟ ମୋବାଇଲ୍‌ ଦେଖିବାକୁ ଅନୁମତି ଦେଉଛନ୍ତି ଅଭିଭାବକ

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩/୦୧: ଦେଶର ଝିଅମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସର୍ଭେ ସାମ୍ନାକୁ ଆସିଛି। ନୂଆ ସର୍ଭେ ଅନୁସାରେ ୪୨ ପ୍ରତିଶତ କିଶୋରୀଙ୍କୁ ଦିନକୁ ଘଣ୍ଟାଏରୁ କମ୍ ସମୟ ମୋବାଇଲ ବ୍ୟବହାର କରିବାକୁ ଅନୁମତି ମିଳୁଛି। ଅଧିକାଂଶ ଅଭିଭାବକଙ୍କୁ ଲାଗୁଛି ଯେ, ମୋବାଇଲ ଫୋନ୍‌ ବ୍ୟବାହାର ଅସୁରିକ୍ଷିତ ଏବଂ ଏହା ତାଙ୍କ ଝିଅର ଧ୍ୟାନ ଭଙ୍ଗ କରୁଛି। ଦିଲ୍ଲୀର ଏକ ଏନଜିଓ ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ(ସି୩) , ଡିଜିଟାଲ୍‌ ଏମ୍‌ପାଓ୍ବାରମେଣ୍ଟ ଫାଉନଡେସନ୍‌ ସହ ମିଳିତ ଭାବେ ଭାରତୀୟ କିଶୋରୀଙ୍କ ପାଖରେ ଡିଜିଟାଲ୍‌ ଆକ୍‌ସେସ୍‌ ସମ୍ପର୍କରେ ସର୍ଭେ କରିଛି। ଏହି ସର୍ଭେରେ ୧୦ଟି ରାଜ୍ୟର ୨୯ ଜିଲ୍ଲାରୁ ୪,୧୦୦ ଜଣ ସାମିଲ ହୋଇଥିଲେ।

ଜାତୀୟ ବାଳିକା ଦିବସ ପୂର୍ବରୁ ଜାରି ହୋଇଥିବା ସର୍ଭେରେ ୧୦ ରାଜ୍ୟ ଆସାମ, ହରିୟାଣା, କାର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ୪,୧୦୦ ଜଣଙ୍କୁ ସାମିଲ କରାଯାଇଥିଲା। ଏଥିରେ କିଶୋରୀ, ପରିବାର ସଦସ୍ୟ, ଶକ୍ଷକ ଏବଂ ୧୦ ରାଜ୍ୟର ଏନଜିଓର ପ୍ରତିନିଧି ସାମିଲ ହୋଇଥିଲେ। ତେବେ ଭାରତରେ କିଶୋରୀଙ୍କ ପାଖରେ ଡିଜିଟାଲ ଉପକରଣ ଭଲ ଭାବେ ପହଞ୍ଚିପାରୁ ନାହିଁ। କିନ୍ତୁ ବିଭିନ୍ନ ରାଜ୍ୟରେ ଏହି ପ୍ରତିଶତର ଅନ୍ତର ଦେଖିବାକୁ ମିଳୁଛି ବୋଲି ରିପୋର୍ଟରେ କୁହାଯାଇଛି।

କର୍ଣ୍ଣାଟକର କିଶେରୀ ସର୍ବାଧିକ ୬୫ ପ୍ରତିଶତ ଡିଜିଟାଲ ଉପକରଣର ଉପଯୋଗ କରିବାକୁ ସୁଯୋଗ ପାଉଛନ୍ତି। ଝିଅଙ୍କ ତୁଳନାରେ ପୁଅ ଏହାର ଫାଇଦା ଭଲ ଭାବେ ଉଠାଉଛନ୍ତି। ହରିୟାଣାରେ ପୁଅ ଓ ଝିଅଙ୍କ ମଧ୍ୟରେ ଡିଜିଟାଲ ଉପକରଣ ଉପଯୋଗର ଅନ୍ତର ଅଧିକ ଥିବା ବେଳେ ତେଲେଙ୍ଗାନାରେ ଏହି ଗ୍ୟାପ୍‌ ବହୁତ କମ୍‌ ରହିଛି। ଏହି ଅନ୍ତର କେବଳ ୧୨ ପ୍ରତିଶତ ରହିଛି।

ପରିବାରର ଦୃଷ୍ଟିକୋଣ ଏବଂ ଅନାଗ୍ରହ ଯୋଗୁ ଝିଅମାନଙ୍କ ମୋବାଇଲ ବ୍ୟବହାର ପ୍ରତି ଆଗ୍ରହ କମୁଥିବା ସର୍ଭେରେ କୁହାଯାଇଛି। ୪୨ ପ୍ରତିଶତ ଝିଅଙ୍କୁ ଗୋଟିଏ ଦିନରେ ଏକ ଘଣ୍ଟାରୁ କମ୍‌ ସମୟ ମୋବାଇଲ୍‌ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ଏହାର କାରଣ ଅଧିକାଂଶ ପିତା-ମାତା ଭାବୁଛନ୍ତି ମୋବାଇଲ ବ୍ୟବହାର କରିବା ଅସୁରକ୍ଷିତ ଓ ଝିଅମାନଙ୍କ ଧ୍ୟାନ ଭଙ୍ଗ କରେ। ଯେତେବେଳେ ଗୋଟିଏ ପରିବାର ସ୍ମାର୍ଟଫୋନ୍‌, କମ୍ପ୍ୟୁଟର କିମ୍ବା ଅନ୍ୟ ଡିଜିଟାଲ ଉପକରଣର ଖର୍ଚ୍ଚ ଉଠାଇପାରିବାର କ୍ଷମତା ଥାଏ ତେବେ ଉପଯୋଗ କରିବାର ପ୍ରାଥମିକତା ପୁରୁଷମାନଙ୍କୁ ଦିଆଯାଏ ବୋଲି ମଧ୍ୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.