ବିଷାକ୍ତ ପତ୍ର ଖାଇ ୪୨ ଛେଳି ମୃତ, ପାଟଣାଗଡରେ ଅଭାବନୀୟ ଘଟଣା

Published By : Prameya-News7 Bureau | April 03, 2021 IST

ପାଟଣାଗଡ ୦୩/୦୪: ପାଟଣାଗଡ ଉପଖଣ୍ଡସ୍ଥ ଲରମ୍ଭା ଥାନା ଅନ୍ତର୍ଗତ ମରାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକା ଥରକେ ଚରିବାକୁ ଯାଇଥିବା ୪୨ଟି ଛେଳି ମୃତ ଅବସ୍ଥାରେ ମିଳିଛି । ଖବର ପାଇ ଘଟଣାସ୍ଥଳକୁ ମରାଳ ଗ୍ରାମବାସୀ ଯାଇ ଦେଖିବା ବେଳକୁ ସକାଳୁ ଚରିବାକୁ ଯାଇଥିବା ସେହି ଗ୍ରାମର ୪୨ ଛେଳି ମରି ପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଉକ୍ତ ଗ୍ରାମର ବିରଂଚି ସାହୁଙ୍କ ୧୯ଟି ଛେଳି, ଶେଷଦେବ ଠାକୁରଙ୍କ ୧୪ଟି ଛେଳି, ତ୍ରିନାଥ ପୁଟେଲଙ୍କ ୫ଟି ଛେଳି, ସଂଜୟ ପୁଟେଲଙ୍କ ୨ଟି, ସୁଧିର ନାଏକଙ୍କ ୧ଟି ଏବଂ ବିପିନ ନାଏକଙ୍କ ୧ଟି ଏହିପରି ମୋଟ ୪୨ଟି ଛେଳି ମରି ପଡିଥିବା ଦେଖିଥିଲେ । କାଳେ କେହି ବିଷ ଦେଇ ସେମାନଙ୍କୁ ମାରିଦେଇଥିବା ସନ୍ଦେହ ହେବାପରେ ଲରମ୍ଭା ପୋଲିସକୁ ଏ ବିଷୟରେ ଗ୍ରାମବାସୀ ଅବଗତ କରାଇଥିଲେ ।

ଘଟଣାସ୍ଥଳରେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାଏକ ପହଂଚି ଅନୁସନ୍ଧାନ କରିଥିଲେ । ପରେ ପାଟଣାଗଡ ଭେଟେରିନାରି ଅଫିସର ସୁବ୍ରତ ନାୟକ ପହଂଚି ଛେଳି ମାନଙ୍କ ବ୍ୟବଚ୍ଛେଦ କରିଥିଲେ। ଗୋହିରା ଗଛର ବିଷାକ୍ତ  ପତ୍ର ଖାଇ ସେମାନଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.