ନୋକିଆ ମୋବାଇଲ କମ୍ପାନୀର ୪୨ କର୍ମଚାରୀ କରୋନା ପଜିଟିଭ : ପ୍ଲାଣ୍ଟରେ ପଡିଲା ତାଲା

Published By : Prameya-News7 Bureau | May 27, 2020 IST

ଚେନ୍ନାଇ ୨୭/୦୫ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି | ମୋବାଇଲ କମ୍ପାନୀ ନୋକିଆର ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାମିଲ୍ନାଡି ସ୍ଥିତ ମେନ୍ୟୁଫେକଚରିଂ ପ୍ଲାଣ୍ଟର ୪୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି | କର୍ମଚାରୀ କରୋନା ଚିହ୍ନଟ ହେବାପରେ ପ୍ଲାଣ୍ଟ ବନ୍ଦ କରାଯାଇଛି |

ନୋକିଆ ଜାରି କରିଥିବା ବୟାନ ଅନୁଯାୟୀ, ତାମିଲନାଡୁ ଶ୍ରୀପେରାମ୍ବୁଦୁର ସ୍ଥିତ ପ୍ଲାଣ୍ଟକୁ ଗତ ସପ୍ତାହରେ ବନ୍ଦ କରିଦିଆଯାଇଥିଲା | ତେବେ କର୍ମଚାରୀ କରୋନା ସଂକ୍ରମଣର ଶିକାର ହେବାପରେ କମ୍ପାନୀ ଏନେଇ ସୂଚନା ଦେଇଛି | ତେବେ କେତେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ସେନେଇ କମ୍ପାନୀ ଏଯାଏଁ ଖୁଲାସା କରିନାହିଁ | କିନ୍ତୁ ନ୍ୟୁଜ ଏଜେନ୍ସି ରାଇଟର୍ସ ଦାବି କରିଛି ଯେ କମ୍ପାନୀର ୪୨ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି |

ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଲକ ଡାଉନ ଜାରି ରହିଛି | କିନ୍ତୁ ଗତ କିଛି ଦିନ ହେଲା ଲକ ଡାଉନ ନିୟମ କୋହଳ କରାଯାଇଛି | କୋହଳ ହେବାପରେ କମ୍ପାନୀକୁ କିଛି ନିୟମାବଳୀ ଅନୁଯାୟୀ ପ୍ଲାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଥିଲା | ସେଥିପାଇଁ ନୋକିଆ ତାମିଲନାଡୁ ସ୍ଥିତ ପ୍ଲାଣ୍ଟରେ କାମ ଆରମ୍ଭ କରିଥିଲା | କିନ୍ତୁ ପ୍ଲାଣ୍ଟ ଖୋଲୁଖୋଲୁ ପୁଣି ବନ୍ଦ କରିବାକୁ ପଡିଲା |

କମ୍ପାନୀ କହିଛି ଯେ ସେ ସାମାଜିକ ଦୂରତା ପାଳନ କରୁଥିଲା | ପ୍ଲାଣ୍ଟରେ ଥିବା କ୍ୟାଣ୍ଟିନରେ ମଧ୍ୟ ସାମାଜିକ ଦୂରତା ଲାଗୁ କରାଯାଇଥିଲା | ପ୍ଲାଣ୍ଟରେ ପୁଣି ଖୁବ ଶୀଘ୍ର ପରିଚାଳନା ଆରମ୍ଭ ହେବା ନେଇ କମ୍ପାନୀ ଆଶା ପ୍ରକାଶ କରିଛି |

କିଛି ଦିନ ପୂର୍ବରୁ ଗ୍ରେଟର ନୋଏଡା ସ୍ଥିତ ଓପୋ ମୋବାଇଲ କମ୍ପାନୀର ମଧ୍ୟ ୯ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଏହାପରେ ଓପୋର ଏହି ଫ୍ୟାକ୍ଟ୍ରିକୁ ବନ୍ଦ କରିଯାଇଥିଲା | ପରବର୍ତ୍ତୀ ନିର୍ଦେଶ ନ ଆସିବା ଯାଏଁ ଫ୍ୟାକ୍ଟ୍ରି ବନ୍ଦ ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.