୫ ବର୍ଷରେ ୪ ହଜାର ସ୍କୁଲ୍ ବନ୍ଦ : ଆବଶ୍ୟକତାଠାରୁ କମ୍ ଉପସ୍ଥାନ ଯୋଗୁଁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

Published By : Prameya-News7 Bureau | August 12, 2020 IST

ଭୁବନେଶ୍ବର,୧୨।୮: ୫ବର୍ଷ ଭିତରେ ଓଡ଼ିଶାର ପ୍ରାୟ ୪ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଇଛନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ ଛାତ୍ରଛାତ୍ରୀ ହେଉନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଛି ।

ସରକାରୀ ତଥ୍ୟ ମୁତାବକ ୨୦୧୪-୧୫ ବର୍ଷରେ ରାଜ୍ୟରେ ୩୪,୩୮୯ଟି ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ୨୦୧୮-୧୯ ବେଳକୁ ଏହି ସଂଖ୍ୟା ୩୨,୦୭୨କୁ ହ୍ରାସ ପାଇଛି । ଅର୍ଥାତ୍‌ ଏହି ବର୍ଷଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୨,୩୧୭ଟି ବନ୍ଦ ହୋଇଯାଇଛି ।
ସେହିପରି ଏହି ବିଭାଗ ଅଧୀନରେ ୨୦୧୪-୧୫ ବର୍ଷ ବେଳକୁ ୧୭,୭୭୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୦୧୮-୧୯ ବେଳକୁ ଏହି ସଂଖ୍ୟା ୧୬,୧୧୭କୁ କମିଛି । ଅର୍ଥାତ୍‌ ଉକ୍ତ ୫ ବର୍ଷରେ ରାଜ୍ୟ ସରକାର ୧୬୫୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି । ମୋଟାମୋଟି ଭାବେ ଏହି ବର୍ଷଗୁଡ଼ିକ ମଧ୍ୟରେ ୩,୯୭୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି ।
୨୦୧୯-୨୦ ବର୍ଷରେ କେତେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି ଏବଂ ୨୦୨୦-୨୧ ବର୍ଷର ଆଜି ସୁଦ୍ଧା ସ୍ଥିତି କ’ଣ ସେ ସମ୍ପର୍କରେ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନଥିଲେ ମଧ୍ୟ ଏହି ସଂଖ୍ୟା ୮୦୦ରୁ କମ୍‌ ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି ।

ଯେଉଁସବୁ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ରହୁଛନ୍ତି ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଉଛି । ଏହି ବିଦ୍ୟାଳୟଗୁଡ଼ିକ ପାଇଁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ଜଣ ପିଛା ହାରାହାରି ୨/୩ ଜଣ ଛାତ୍ରଛାତ୍ରୀ ନାହାନ୍ତି । ତେଣୁ ଉକ୍ତ ବିଦ୍ୟାଳୟଗୁଡ଼ିକୁ କମ୍‌ କରିଦେଇ ସେଠାରେ ନାମାଙ୍କନ କରିଥିବା ଛାତ୍ରଛାତ୍ରୀଙ୍କୁ ଆଣି ପାଖ ବିଦ୍ୟାଳୟରେ ଭର୍ତ୍ତି କରାଯାଉଛି । ଉଲ୍ଲେଖଯୋଗ୍ୟ, ରାଜନୈତିକ ଚାପରେ ଗୋଟିଏ ଗୋଟିଏ ଗାଁରେ ଏକାଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିଛି । ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ କେତେକ ଦୁର୍ଗମ ଅଞ୍ଚଳରେ ୪/୫ କିଲୋମିଟର ବ୍ୟବଧାନରେ ବି ବିଦ୍ୟାଳୟ ନାହିଁ । ସରକାର ମାନିଛନ୍ତି ଯେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ୨୧,୪୬୩ଟି ଲେଭଲ-୪ ମଞ୍ଜୁରୀପ୍ରାପ୍ତ ପ୍ରଧାନଶିକ୍ଷକ ପଦବି ଥିବାବେଳେ ସେଥିରୁ ପାଖାପାଖି ୧୩ ହଜାର ପଦବି ଖାଲି ।

ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଲାଗି ଲେଭଲ୍‌-୩ରେ ୯୩୦୫ଟି ମଞ୍ଜୁରୀପ୍ରାପ୍ତ ପ୍ରଧାନ ଶିକ୍ଷକ ପଦବି ଥିବା ବେଳେ ସେଥିରୁ ୪ ହଜାରରୁ ଅଧିକ ପଦବି ଖାଲି । ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ସଂଖ୍ୟାଧିକ ଗଣଶିକ୍ଷକ ଓ ଠିକା ଶିକ୍ଷକଙ୍କ ଦ୍ବାରା ଚାଲୁଛି । ତେବେ ଆଇନ ଅନୁଯାୟୀ ୬ ବର୍ଷ ଠିକା ଶିକ୍ଷକ ରହିବା ପରେ ନିୟମିତ କରିବା ବ୍ୟବସ୍ଥା ଅଛି । ପ୍ରାଥମିକ ଓ ହାଇସ୍କୁଲ ସ୍ତରରେ ବି ଅନେକ ଶିକ୍ଷକ ପଦବି ଖାଲି । ଏହାକୁ ପୂରଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବର୍ଷ ବର୍ଷ ଧରି କୁହାଯାଉଥିବାବେଳେ ଏବେ କରୋନାର ତାଣ୍ଡବଲୀଳା ପରିପ୍ରେକ୍ଷୀରେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ଅଧିକ ବିଳମ୍ବ ହେବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.