Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଚ୍‌ ରାସ୍ତା​‌ରେ ଓକିଲଙ୍କ ଉପରେ ୬ ରାଉଣ୍ଡ ଗୁଳିମାଡ, ଦୁର୍ବୃତ୍ତ ଫେରାର

21/10/2020 at 8:39 PM

ପାଟଣା ୨୧/୧୦: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବ ଓକିଲ ଗୁରୁତର। ବାଇକ୍‌ରେ ଆସିଥିଲେ ୪ ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ଓକିଲଙ୍କ ଉପରେ ଚଳାଇଥିଲେ ୬ ରାଉଣ୍ଡ ଗୁଳି। ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ଆକ୍ରମଣକାରୀ। ପରେ ଓକିଲଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗୋପାଳଗଞ୍ଜରେ ଘଟିଛି।

ଓକିଲଙ୍କ ନାଁ ନବୀନ କୁମାର ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ବୟସ ୪୦ । ସବୁଦିନ ଭଳି ଆଜି ସକାଳେ ନବୀନ କୁମାର ନିଜ ବାଇକ୍‌ରେ କୋର୍ଟ ବାହାରିଥିଲେ। ଜାମସାଦି ଗାଁରୁ ଗୋପାଳଗଞ୍ଜ ସିଭିଲ୍‌ କୋର୍ଟ ଯିବା ବାଟରେ ବେଦତୋଳା ଅଞ୍ଚଳରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ। ନବୀନ କିଛି ବୁଝିବା ଆଗରୁ ତାଙ୍କ ଦେହରେ ବାଜିଥିଲା ୬ ରାଉଣ୍ଡ ଗୁଳି। ଗୋଟିଏ ଗୁଳି ତାଙ୍କ ପେଟରେ ମଧ୍ୟ ବାଜିଥିବା ଜଣାପଡ଼ିଛି।ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ନବୀନ କୁମାରଙ୍କୁ ଗୋରଖପୁର ମେଡିକାଲକୁ ନେଇଯାଇଥିଲେ ।ଯେଉଁଠି ଏବେ ତାଙ୍କର ଚିକିତ୍ସା ଚାଲିଛି ବୋଲି ପୋଲିସ କହିଛି।

ଜଣେ ଓକିଲଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଖବର ପାଇବା ପରେ ଅନ୍ୟ ଓକିଲମାନେ ଆନ୍ଦୋଳନ କରିଥିଲେ। ପୋଲିସ ବିରୋଧରେ ନାରାବାଜି କରିବା ସହ ରାସ୍ତାଘାଟ ଅବରୋଧ କରିଥିଲେ । ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଆନ୍ଦୋଳନରତ ଓକିଲ ଦାବି କରିଥିଲେ ।

 ଓକିଲଙ୍କ ପରେ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ ।ରାସ୍ତା ଅବରୋଧ ପାଇଁ ଯାତାୟତ ଠପ ହୋଇଯିବା ଫଳରେ ଅପରାଧୀଙ୍କୁ ଖୁବଶୀଘ୍ର ଧରିବାକୁ ପୋଲିସ ପ୍ରତିଶୃତି ଦେଇଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ଯାଞ୍ଚ ଚାଲିଥିବା ଗୋପାଳଗଞ୍ଜ ଏସପି ମନୋଜ ତିଓ୍ବାରୀ କହିଛନ୍ତି। ସେପଟେ ପୀଡ଼ିତଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ଥିବାରୁ ତାଙ୍କର କିଛି ପୂର୍ବ ଶତୃତା ଥିଲା କି ବୋଲି ସେନେଇ ପଚରାଉଚରା ହୋଇପାରିନାହିଁ ବୋଲି ତିଓ୍ବାରୀ କହିଛନ୍ତି।

ସୂଚନାଯୋଗ୍ୟ, କେବଳ ନୀବନ କୁମାର ନୁହେଁ ପୂର୍ବରୁ ଗୋପାଳଗଞ୍ଜରେ ଫେବୃଆରୀ ୧୪ରେ ଓକିଲ ଟୁନଟୁନ୍‌ ରାମଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଆଉ ଜଣେ ଓକିଲ ତ୍ରିପୁରାରି ଶରନ ଶର୍ମାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା।

   Related Posts