୨୬ ବର୍ଷୀୟ କୁଲଦୀପ ଓ ସୁନିଲ ନାରିନେଙ୍କ ଉପରେ ଭାରି ପଡିଲେ ୪୦ ବର୍ଷୀୟ ହରଭଜନ ସିଂହ

Published By : Prameya-News7 Bureau | April 11, 2021 IST

ଚେନ୍ନାଇ ୧୧।୦୪: ଅଫ ସ୍ପିନର ହରଭଜନ ସିଂହ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଡେବ୍ୟୁ କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ପାଇଁ କେକେଆର ଭାରତୀୟ ଦଳର ଅଭିଜ୍ଞ ସ୍ପିନର ହରଭଜନ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି। ହରଭଜନ ୬୯୯ ଦିନ ପରେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳୁଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ମଧ୍ୟ ଖେଳିଛନ୍ତି। ସବୁଠୁ ବଡ କଥା କେକେଆର କୁଲଦୀପ ଓ ସୁନିଲ ନାରିନେଙ୍କୁ ଦଳରେ ସାମିଲ କରିନାହିଁ।

କେକେଆର ନିଲାମରେ ହରଭଜନ ସିଂହଙ୍କୁ ୨ କୋଟି ଟଙ୍କାରେ କିଣିଥିଲା। ୟୁଏଇରେ ଗତ  ବର୍ଷ ଆୟୋଜିତ ସଂସ୍କରଣରେ ହରଭଜନ ଖେଳିନଥିଲେ। ସେ ୨୦୧୯ ମେ ୧୨ ପରଠୁ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଅର୍ଥାତ ୬୯୯ ଦିନ ପରେ ସେ ପଡିଆକୁ ଓହ୍ଲାଇଛନ୍ତି। ହରଭଜନ ସିଂହଙ୍କ ଆଇପିଏଲ ରେକର୍ଡ ବହୁତ ଦମଦାର ରହିଛି। ସେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ପଞ୍ଚମରେ ଅଛନ୍ତି। ହରଭଜନ ୧୬୧ ମ୍ୟାଚ୍‌ରୁ ୧୫୦ ଓ୍ଵିକେଟ୍ ନେଇଛନ୍ତି। ୧୮ ରନ ଦେଇ ୫ ଓ୍ଵିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ଗୋଟିଏ ଅର୍ଦ୍ଧଶତକ ସହ ୮୨୯ ରନ ମଧ୍ୟ କରିଛନ୍ତି।

ଅନ୍ୟପଟେ ବାମହାତୀ ସ୍ପିନର କୁଲଦୀପ ଯାଦବ ଫର୍ମରେ ନାହାନ୍ତି। ଆଇପିଏଲ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ତାଙ୍କର ପ୍ରଦର୍ଶନ ନିରାଶଜନକ ରହିଛି। ଗତ ଆଇପିଏଲରେ ତାଙ୍କୁ ୫ଟି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିଥିଲା। ଏଥିରୁ ସେ ମାତ୍ର ଗୋଟିଏ ଓ୍ଵିକେଟ୍ ନେବାରେ ସକ୍ଷମ ହୋଇଥିଲେ। ସର୍ବମୋଟ୍ ୪୫ ମ୍ୟାଚ୍‌ରେ କୁଲଦୀପ ୪୦ ଓ୍ଵିକେଟ୍ ନେଇଛନ୍ତି।

କେକେଆର ନିଜର ପ୍ରଥମ ମୁକାବିଲାରେ ସୁନିଲ ନାରିନଙ୍କୁ ମଧ୍ୟ ଖେଳାଇ ନାହିଁ। ନାରିନ ଆଇପିଏଲରେ ୧୨୦  ମ୍ୟାଚ୍‌ରେ ୧୨୭ ଓ୍ଵିକେଟ୍ ନେଇଛନ୍ତି। କିନ୍ତୁ ବୋଲିଂ ଶୈଳୀ ବିବାଦ କାରଣରୁ ତାଙ୍କର ପୂର୍ବଭଳି ଫର୍ମ ଆଉ ନାହିଁ। କେବଳ ଏତିକି ନୁହେଁ ସନ୍ଦିଗ୍ଧ ବୋଲିଂ ଶୈଳୀକୁ ନେଇ ତାଙ୍କୁ ଚେତାବନୀ ମଧ୍ୟ ମିଳିଛି। ନାରିନ ବ୍ୟାଟ୍‌ରେ ୪ ଅର୍ଦ୍ଧଶତକ ସହ ୮୯୨ ରନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.