କରୋନା ମୁକାବିଲା ଏବେ ବଡ ଚ୍ୟାଲେଞ୍ଜ : ଭାଇରସର ୪୦ପ୍ରକାର ମ୍ୟୁଟେସନ୍ ଠାବ , ବୈଜ୍ଞାନିକ କହିଲେ ବିପଦଜନକ

Published By : Prameya-News7 Bureau | March 26, 2020 IST

ଲଣ୍ଡନ ୨୬।୦୩: ଏବେ ସମଗ୍ର ମାନବଜାତି ପାଇଁ ସବୁଠାରୁ ବଡ ସଂକଟ ଭାବେ ଉଭା ହୋଇଥିବା କରୋନା ଭାଇରସକୁ ନେଇ ବୈଜ୍ଞାନିକମାନେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଯାହା ସମସ୍ତଙ୍କର ଚିନ୍ତାକୁ ଆହୁରି ବଢାଇଦେବ । ଆଇସଲାଣ୍ଡର କିଛି ଗବେଷକ ଏହି ଭୂତାଣୁର ୪୦ଟି ରୂପକୁ ଠାବ କରିଛନ୍ତି । ଅର୍ଥାତ୍‌ ସେମାନେ ଏହାର ୪୦ଟି ମ୍ୟୁଟେସନ୍‌ର ସନ୍ଧାନ କରିଛନ୍ତି । ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ବାହାର କରିଛନ୍ତି । ବିଜ୍ଞାନରେ ମ୍ୟୁଟେସନ କହିଲେ କୌଣସି ଜୀବର କୋଷିକାରେ ଥିବା ଜିନ୍‌ର ସଂରଚନାରେ ବାରମ୍ବାର ଆସୁଥିବା ପରିବର୍ତ୍ତନକୁ ବୁଝାଏ ।

{"id":244292,"sizeSlug":"large"}

ଜୀବମାନେ ପରିବେଶ ସହିତ ଖାପ ଖୁଆଇବା ପାଇଁ କିମ୍ବା ନୂତନ କ୍ଷମତା ବିକଶିତ କରିବା ପାଇଁ ନିଜର ଜିନ୍‌ ସଂରଚନାକୁ ଏଭଳି ଭାବେ ବଦଳାଇ ଥାଆନ୍ତି । ତେଣୁ କରୋନା ଭାଇରସ ଏବେ ତାହା ହିଁ କରୁଛି । ସେ ବିଭିନ୍ନ ପରିବେଶ ସହିତ ଖାପଖୁଆଇବା ପାଇଁ ନିଜର ଜିନ୍‌ ସଂରଚନାକୁ ବଦଳାଇ ଦେଉଛି । ଏମିତିକି ନୂଆ ନୂଆ କ୍ଷମତା ବିକଶିତ କରିବା ପାଇଁ ବି ସେ ଏଭଳି କରୁଛି । ଗୋଟିଏ ଭାଇରସର ୪୦ ପ୍ରକାର ମ୍ୟୁଟେସନ ଠାବ କରାଯିବା ସାଧାରଣ କଥା ନୁହେଁ । ଏହାଯୋଗୁ ଏହି ଭାଇରସକୁ ନିପାତ କରିବା କଷ୍ଟକର ହୋଇପଡିବ । କାରଣ ତାକୁ ନିପାତ କରିବା ପାଇଁ ଔଷଧ ପ୍ରସ୍ତୁତ କରାଯିବା ବେଳକୁ ସେ ଆହୁରି ନୂଆ ନୂଆ କ୍ଷମତା ବିକଶିତ କରିଦେଇଥିବ ।

{"id":244293,"sizeSlug":"large"}

ସ୍ଥଳବିଶେଷରେ ବି ବୈଜ୍ଞାନିକମାନଙ୍କ ଏପରି ଦାବି ସତ ହୋଇଥିବାର ମନେ ହେଉଛି । ଏବେ ବିଭିନ୍ନ ଦେଶରେ କରୋନା ବ୍ୟାପୁଥିଲେ ବି ସବୁ ଦେଶରେ ତାହାର କୋଷିକାର ସଂରଚନା ସମାନ ନୁହେଁ । ଉଦାହରଣ ସ୍ୱରୂପ, ଭାରତରେ କରୋନାର ଯେଉଁ ଷ୍ଟ୍ରେନ ବ୍ୟାପୁଛି, ତାହା ୟୁରୋପ ଏବଂ ଏସିଆ ମହାଦେଶରେ ବ୍ୟାପୁଥିବା କରୋନାର ଷ୍ଟ୍ରେନ ଭଳିଆ ଏତେଟା ମାରାତ୍ମକ ଏବଂ ସଂକ୍ରାମକ ନୁହେଁ ବୋଲି ଆମେରିକାର ଜଣେ ଗବେଷକ କହିଛନ୍ତି । ତେଣୁ ଭାରତରେ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି । ସେହିପରି ଚୀନ୍‌ ଏବଂ ଇଟାଲୀରେ ଏହି ଭାଇରସର ଷ୍ଟ୍ରେନ କେବଳ ବୟସ୍କ ଲୋକଙ୍କୁ ଅଧିକ ମାତ୍ରାରେ ଶିକାର କରୁଥିଲାବେଳେ ଫ୍ରାନ୍ସରେ କିନ୍ତୁ ଯୁବବର୍ଗଙ୍କୁ ଟାର୍ଗେଟ କରୁଛି ।

{"id":244294,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ, ଆଇସଲ୍ୟାଣ୍ଡରେ ଏ ପର୍ଯ୍ୟନ୍ତ ୬୦୦ରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେଲେଣି । ଆଇସଲ୍ୟାଣ୍ଡରେ କରୋନାର ଯେଉଁ ଷ୍ଟ୍ରେନଗୁଡିକ ଠାବ କରାଯାଇଛି, ତାହା ତିନୋଟି ଦେଶ ଇଟାଲୀ, ଅଷ୍ଟ୍ରିଆ ଏବଂ ବ୍ରିଟେନରୁ ସେଠାକୁ ଯାଇଥିବାର ଜଣାପଡିଛି । ବ୍ରିଟେନର ଏକ ଷ୍ଟାଡିୟମରେ ଫୁଟବଲ୍‌ ମ୍ୟାଚ୍‌ ଦେଖୁଥିଲାବେଳେ ଆଇସଲ୍ୟାଣ୍ଡର ୭ ଜଣ ନାଗରିକ କରୋନାରେ ସଂକ୍ରମିତ ହୋଇଥିଲେ । ଆଇସଲ୍ୟାଣ୍ଡରେ କରୋନା ଏବେ ବ୍ୟାପକ ମାତ୍ରାରେ ବ୍ୟାପୁଥିବାରୁ ସେଠାକାର ବୈଜ୍ଞାନିକମାନେ ଏବେ ଏହାର ଜିନ୍‌ ସଂରଚନାର ଅଧ୍ୟୟନ ଉପରେ ମନୋନିବେଶ କରୁଛନ୍ତି ଯଦ୍ୱାରା କି ଏହାକୁ ନିପାତ କରିବାର ଉପାୟ ବାହାର କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.