କୋଲକାତାରେ ଦୁଇ ପୃଥକ ଅଗ୍ନିକାଣ୍ଡରେ ୪୦ ବଖରା ଘର ସହ ବଜାର ଭଶ୍ମ
23/12/2020 at 10:16 PM

କୋଲକାତା ୨୩।୧୨: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ବୁଧବାର ୨ଟି ଅଲଗା ଅଲଗା ସ୍ଥାନରେ ଅଗ୍ନିକାଣ୍ଡ ଘଟି ଅନୁନ୍ୟ ୪୦ ବଖରା ଘର ଜଳି ପାଉଁଶ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ବଜାର ଜଳିଯାଇଛି। ପ୍ରଥମେ ବାଇପାସ ନିକଟ ପୂର୍ବାସା ହାଉସିଂ ପାଖାପାଖି ଥିବା ଏକ ବସ୍ତିରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ସାରା ବସ୍ତିକୁ ବ୍ୟାପି ଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୧୫ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ଅନ୍ୟ ଏକ ଘଟଣାରେ ବାଗୁଇହାଟୀ ପୁରୁଣା ବଜାର ଜଳିଯାଇଛି। ସନ୍ଧ୍ୟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କେତେକ ଦୋକାନ ପଡି ଯାଇଥିବା ଜଣାପଡିଛି। ସୂଚନା ପାଇ ୭ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅଚାନକ ନିଆଁ ଲାଗିଥିଲା। ଦେଖୁ ଦେଖୁ ସାରା ବଜାରକୁ ବ୍ୟାପିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ବସ୍ତିର କୌଣସି ଘରେ ନିଆଁ ଲାଗି ବ୍ୟାପିଯାଇଥିବାର ଅନୁମାନ କରାଯାଉଛି। ଲୋକେ ପ୍ରଥମେ ନିଜେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ଦମକଳ ବିଭାଗକୁ ସୂଚନା ଦେଇଥିଲେ। ଦମକଳ ଗାଡି ପହଞ୍ଚିବା ବେଳେକୁ ନିଆଁ ସମଗ୍ର ବସ୍ତିକୁ ବ୍ୟାପି ସାରିଥିଲା। ସେଠାରେ ନିଆଁ ଏବେବି ଆୟତ୍ତ ହୋଇ ନାହିଁ।
ଲୋକେ ଘରେ ରୋଷେଇ ଲାଗି ରଖିଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ନିଆଁ ଅଧିକ ବ୍ୟାପୁଥିବାରୁ ଆୟତ୍ତ କରିବା ଦମକଳ ବିଭାଗ କର୍ମଚାରୀଙ୍କ ଲାଗି କଷ୍ଟକର ହୋଇପଡିଛି। ବସ୍ତିରେ ଲୋକେ କେବଳ ପିନ୍ଧା ଲୁଗାକୁ ଛାଡି ଜଳୁଥିବା ଘରୁ କୁଟାଟିଏ ବି ଆଣି ପାରିନାହନ୍ତି। ସାରା ବସ୍ତି କାନ୍ଦ ରୋଳରେ ଫାଟୁଥିବା ବେଳେ ଅଗ୍ନିସମ କର୍ମଚାରୀ ଲୋକଙ୍କ ସହ ମିଶି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ମଙ୍ଗଳବାର ମଧ୍ୟ କୋଲକାତାରେ ଏକ ବସ୍ତି ଜଳିଯାଇଥିଲା।