କରୋନା ମୁକାବିଲା: ୪୦ ପ୍ରତିଶତ ଟ୍ୟାକ୍ସ ଦିଅନ୍ତୁ କୋଟିପତି, ସରକାରଙ୍କୁ ପ୍ରସ୍ତାବ ଦେଲେ ଆଇଆରଏସ ଅଧିକାରୀ
25/04/2020 at 10:03 PM

ନୂଆଦିଲ୍ଲୀ, ୨୫|୦୪: କରୋନା ଭାଇରସର ଆତଙ୍କ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ କାରବାର ବନ୍ଦ ରହିଛି । ଫଳରେ ଦେଶରେ ଆର୍ଥିକ ଅବସ୍ଥା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ମାନ୍ଦାବସ୍ଥାର ସାମ୍ନା କରିବାକୁ ଦେଶ ଗତି କରୁଛି । ଏହା ମଧ୍ୟରେ କିଛି ଆଇଆରଏସ ଅଧିକାରୀ ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁମାନଙ୍କର ବାର୍ଷିକ ରୋଜଗାର ୧ କୋଟିରୁ ଅଧିକ ସେମାନେ ୪୦ ପ୍ରତିଶତ ଟ୍ୟାକ୍ସ ଦିଅନ୍ତୁ ଓ ଯେଉଁମାନଙ୍କର ଆୟ ୧୦ ଲକ୍ଷରୁ ଅଧିକ ସେମାନେ ୫ ହଜାର ଟଙ୍କା ଗରିବଙ୍କୁ ପ୍ରଦାନ କରୁନ୍ତୁ ବୋଲି ଅଧିକାରୀମାନେ ପ୍ରସ୍ତାବ ଦେଇଛନ୍ତି ।
ଫିସିକାଲ୍ ଅପସନ ଆଣ୍ଡ୍ ରେସପନ୍ସ ଟୁ କୋଭିଡ-୧୯ ଇପେଡେମିକରେ ଆଇଆରଏସ ଆସୋସିଏସନ ଏହି ପ୍ରସ୍ତାବ ଦେଇଛି । ଏହାକୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହାକୁ ମଧ୍ୟ ସିବି଼ଡିଟି ନିକଟକୁ ପଠାଇ ଦିଆଯାଇଛି ।
ଦି ପ୍ରିଣ୍ଟର ରିପୋର୍ଟ ଅନୁସାରେ, ଏଥିରେ ଉଲ୍ଲେଖ ରହିଛି ଯେ, ସାଧାରଣ ଜନତାଙ୍କ ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହେଉ । ଧନି ବ୍ୟକ୍ତିମାନେ ଅଧିକ ଟିକସ୍ ପ୍ରଦାନ କରନ୍ତୁ । ଯେଉଁମାନଙ୍କର ଆୟ ବାର୍ଷିକ ୧ କୋଟିରୁ ଅଧିକ ସେମାନେ ୪୦ ପ୍ରତିଶତ ଟିକସ ଦିଅନ୍ତୁ । ଏହି ଅର୍ଥକୁ ସରକାରୀ ପ୍ରକଳ୍ପରେ ବ୍ୟବହାର କରାଯିବ । ଯାହା ଆର୍ଥିକ ବ୍ୟବସ୍ଥା ସଜାଡିବାରେ ସାହାଯ୍ୟ କରିବ ।ସେହିପରି ୧୦ ଲକ୍ଷରୁ ଅଧିକ ଆୟ ଥିବା ବ୍ୟକ୍ତି ୪ ପ୍ରତିଶତ ସେସ୍ ପ୍ରଦାନ କରନ୍ତୁ । ଏହାକୁ ବିଭିନ୍ନ ସିଏସଆର ଫଣ୍ଡରେ ବିନିଯୋଗ କରାଯାଇ ପାରିବ ।
ପ୍ରସ୍ତାବରେ ଆହୁରି କୁହାଯାଇଛି ଯେ, ବିଭିନ୍ନ ଡିଜିଟାଲ ପେମେଣ୍ଟ କମ୍ପାନୀ, ଇ-କମର୍ସ କମ୍ପାନୀଙ୍କ ଠାରୁ ଟ୍ୟାକ୍ସ ନିଆଯାଉ । ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଜୁମ ଆଦି ଆପ୍ଲିକେସନ ଦେଉଥିବା ଗୁଗୁଲ ଟିକସକୁ ୬ରୁ ୭ ପ୍ରତିଶତ ଯାଏଁ ବୃଦ୍ଧି କରାଯିବା ଉଚିତ । ଏହାସହ ୨ରୁ ୩ ପ୍ରତିଶତ ଟାକ୍ସ ଇ-କମର୍ସ କମ୍ପାନୀଠୁ ନିଆଯିବା ଆବଶ୍ୟକ । ସେହିପରି ସରକାର ବାର୍ଷିକ ୧୦ ଲକ୍ଷରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ବୋନସ ଓ ବର୍ଧିତ ଦରମା କାଟ କରିବା ଉଚିତ ।
ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଗରିବଙ୍କୁ ସିଧାସଳଖ ଭାବେ ୩ରୁ ୫ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ୧୨ ହଜାର ଗରିବ ଏଥିରେ ଉପକୃତ ହେବେ । ବଳକା ଅର୍ଥକୁ ମନରେଗା କାର୍ଯ୍ୟରେ ମଧ୍ୟ ବିନିଯୋଗ କରାଯାଇ ପାରିବ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି ।