ରାୟଗଡା ଜିଲ୍ଲାରୁ ଆଉ ୪୦ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ମଧ୍ୟରେ ୧୯ କରୋନା ଯୋଦ୍ଧା

Published By : Prameya-News7 Bureau | July 31, 2020 IST

ରାୟଗଡା ୩୧।୭: ରାୟଗଡା ଜିଲ୍ଲାରୁ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୦ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଛି । ୪୦ ସଂକ୍ରମିତଙ୍କ ମଧ୍ୟରୁ ୩୪ ଜଣ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ଭୁବନେଶ୍ବର ସ୍ଥିତ ଆରଏମଆରସି ପରୀକ୍ଷାଗାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରରେ ପରୀକ୍ଷଣ ପରେ ରାଜ୍ୟ ସରକାର ଟ୍ବିଟ୍ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ରାୟଗଡା ସହରରୁ ଓ ୨ ଜଣ ବ୍ଲକରୁ ରହିଛନ୍ତି । ଗୁଣପୁର ସହରରୁ ୧୧, ପଦ୍ମପୁର ବ୍ଲକରୁ ଜଣେ, କାଶୀପୁରରୁ ଜଣେ ଓ ବିଷମକଟକ ବ୍ଲକରୁ ଜଣେ ରହିଛନ୍ତି । ସମସ୍ତ ୪୦ ଜଣ କଣ୍ଟେନମେଣ୍ଟ ଜୋନରୁ ବାହାରିଥିବା ଜଣାପଡିଛି । ଏଥିରେ ୧୯ ଜଣ ଯୋଦ୍ଧା ରହିଛନ୍ତି । ଯୋଦ୍ଧାଙ୍କ ମଧ୍ୟରେ ୧୦ ଜଣ ପୋଲିସ କନେଷ୍ଟବଳ, ୩ ଜଣ ସିଆରପିଏଫ ଓ ୨ ଜଣ ଆରପିଏଫ ଯବାନ ରହିଛନ୍ତି । ସେହିଭଳି ୪ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରହିଛନ୍ତି ।

ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ଆଜି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଦ୍ରୁତ ସର୍ଭେ ଓ ପରୀକ୍ଷା ଯୋଗୁଁ ରିପୋର୍ଟ ଶୀଘ୍ର ହସ୍ତଗତ ହେଉଛି । ଏଥିସହ ଆକ୍ରାନ୍ତଙ୍କୁ ଜକେପୁର ସ୍ଥିତ କୋଭିଡ୍ ମେଡିକାଲ, ବିଷମକଟକ, ତାଡମା ଓ ଗୁଣପୁର ସ୍ଥିତ କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୭୩୩ ଜଣ ଚିହ୍ନଟ ହୋଇଥିବା ଓ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ସମସ୍ତେ ସତର୍କ ରହିବା ସହ ବର୍ତ୍ତମାନ ଚାଲିଥିବା ସଟଡାଉନକୁ ପାଳନ କରିବା ପାଇଁ ପ୍ରଶାସନ ନିବେଦନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.