ଉଜ୍ଜ୍ବଳା ଯୋଜନା @୪ ବର୍ଷ : ୮ କୋଟି ଅଭାବୀ ପରିବାରଙ୍କୁ ମିଳିଛି ମାଗଣା ଗ୍ୟାସ, ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହା ଏକ ସ୍ବର୍ଣ୍ଣିମ ଯୋଜନା

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର ୦୧/୦୫ :  ଉଜ୍ଜ୍ବଳା ଯୋଜନାକୁ ପୂରିଲା ୪ ବର୍ଷ । ୨୦୧୬ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାଲିଆରେ ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ମାତ୍ର ୪ ବର୍ଷ ମଧ୍ୟରେ ୮ କୋଟି ଅଭାବୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିଛି। ତେବେ ଏହି ଯୋଜନାର ସଫଳତା ପାଇଁ ଏବେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହିତାଧୀକାରୀ ।

୨୦୧୬ ମେ ୧ ତାରିଖ । ଭାରତ ପାଇଁ ଐତିହାସିକ ଦିନ । ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗ୍‌ ଡ୍ରିମ୍‌ ପ୍ରୋଜେକ୍ଟ ଉଜ୍ଜ୍ବଳା ଯୋଜନା । ଉଦ୍ଦେଶ୍ୟ ଥିଲା ଧୂଆଁମୁକ୍ତ ରୋଷେଇ । ତେବେ ଆଜି ଉଜ୍ଜ୍ବଳା ଯୋଜନାକୁ ୪ ବର୍ଷ ପୂରିଥିବା ବେଳେ ୮ କୋଟି ଗରିବ ପରିବାରଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇଛି । ୟୁପିରେ ସର୍ବାଧିକ ୧ କୋଟି ୪୭ ଲକ୍ଷ ପରିବାରକୁ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ପଶ୍ଚିମବଙ୍ଗରେ ୮୬ ଲକ୍ଷ, ବିହାରରେ ୮୪ ଲକ୍ଷ, ମଧ୍ୟପ୍ରଦେଶରେ ୭୦ ଲକ୍ଷ ଓ ରାଜସ୍ଥାନରେ ୬୩ ଲକ୍ଷ ଲୋକ ହିତାଧିକାରୀଙ୍କୁ ଏହି ଯୋଜନା ସୁଫଳ ମିଳିଛି । ୨୦୧୪ରେ ସାରା ଦେଶରେ ଏଲପିଜି ବ୍ୟବହାର ୫୬ ପ୍ରତିଶତ ହେଉଥିଲା । ହେଲେ ଏହି ଯୋଜନା ଲାଗୁ ହେବା ପରେ ୨୦୨୦ରେ ଏହା ୯୭ ପ୍ରତିଶତକୁ ବୃଦ୍ଧି ହୋଇଛି । ତେବେ ଏଭଳି ଏକ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହିତାଧିକାରୀ ।

ଏପଟେ ୨୦୧୬ ଜୁନ୍‌ ୨୦ରେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତିରେ ରାଜ୍ୟରେ ଆରମ୍ଭ ହୋଇଥିଲା ଏହି ଯୋଜନା ।୨୦୧୪ରେ ଓଡ଼ିଶାରେ ଏଲପିଜି ହିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ ୨୨ ହଜାର ଥିଲା । ତେବେ ୨୦୨୦ ଜାନୁଆରୀ ୧ରେ ହିତାଧିକାରୀଙ୍କ ସଂଖ୍ୟା ୮୮ ଲକ୍ଷ ୬୧ ହଜାର । ଅର୍ଥାତ୍ ରାଜ୍ୟରେ ୨୦ ପ୍ରତିଶତରୁ ୮୨ ପ୍ରତିଶତକୁ ବଢ଼ିଛି ଏଲପିଜି ହିତାଧିକାରୀଙ୍କ ସଂଖ୍ୟା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି ଉଜ୍ଜ୍ବଳା ଯୋଜନାର ସଫଳତା ବଖାଣିଛନ୍ତି । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଭାରତର ଇତିହାସରେ ଉଜ୍ଜ୍ବଳା ଏକ ସ୍ବର୍ଣ୍ଣିମ ଯୋଜନା ବୋଲି ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.